
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ପୁଲିସକୁ ମିଳିଛି ବଡ ଧରଣର ସଫଳତା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୁଲିସ ୧୨ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ୩ଟି ଦାମି କାର ସହ ୨୩୦ ଗ୍ରାମ ସୁନା ଅଳଙ୍କାର ଓ ୫୮୧ ଗ୍ରାମ ରୂପା ଜବତ,୧୨ଟି ମୋବାଇଲ ଫୋନ, ବୁଲେଟ୍ ମଟସାଇକେଲ ସହ ଘରୋଇ ସାମଗ୍ରୀ ଜବତ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡାର ଏସପି ରାଜ୍ ପ୍ରସାଦ । ଗିରଫ୍ ହୋଇଥିବା ସମସ୍ତ ଅଭିଯୁକ୍ତ କାଶୀପୁର, କଲ୍ୟାଣସିଂହପୁର, କୋଲନରା ଓ ରାୟଗଡା ଥାନା ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି । ଘର ଖାଲିଥିବାର ସୁଯୋଗ ନେଇ ଏହି ଅଭିଯୁକ୍ତ ମାନେ ପ୍ରଥମେ ସିସିଟିଭିକୁ ଅଚଳ କରିବା ସହ ଲୁଟପାଟ୍ କରିଥିଲେ । ଏଥିପାଇଁ ଏକ ଟିମ୍ ଗଠନ କରିବା ସହ ସାଇବର ଏକ୍ସପାର୍ଟଙ୍କ ସହାୟତା ନେଇ ପୁଲିସ ଗିରଫ୍ କରିଥିବା ସୂଚନା ମିଳିଛି । ଚୋରି ହୋଇଥିବା ସୁନା ଅଳଙ୍କାରକୁ ତରଳେଇ ଅଭିଯୁକ୍ତ ମାନେ ବିଭିନ୍ନ ଗୋଲ୍ଡ ଲୋନ କମ୍ପାନୀରୁ ଲୋନ୍ ନେଇଥିଲେ । ତେବେ ଆଗାମୀ ଦିନରେ ଅନ୍ୟ ଲୁଟେରା ମାନଙ୍କୁ ଖୁବଶୀଘ୍ର ଗିରଫ୍ କରାଯିବ ବୋଲି ଏସପି ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି ।