ରାହୁଲ ଗାନ୍ଧୀ ହେବେ ଲୋକସଭାରେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ : ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି । କଂଗ୍ରେସ କାର୍ଯ୍ୟକାରିଣୀରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିବା ସୂଚନାରେ କୁହାଯାଇଛି । ଏନେଇ କେସି ବେଣୁଗୋପାଳ ଓ ଅଜୟ ରାୟ ସୂଚନା ଦେଇଛନ୍ତି । ଚଳିତ ଥର ରାହୁଲ ଉତ୍ତରପ୍ରଦେଶ ରାଏବରେଲି ଏବଂ କେରଳର ୱାଏନାଡରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ପକ୍ଷରୁ ପାରିତ ହୋଇଥିବା ପ୍ରସ୍ତାବରେ ଗତ ନିର୍ବାଚନରେ ତାଙ୍କର ପ୍ରଚାରକୁ ପ୍ରଶଂସା କରାଯିବା ସହିତ ଲୋକସଭାରେ ବିରୋଧୀଙ୍କ ନେତୃତ୍ୱ ନେବାକୁ ରାହୁଲଙ୍କୁ ଅନୁରୋଧ କରାଯାଇଥିବା କୁହାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଦୁଇଟି ପର୍ଯ୍ୟାୟରେ ଭାରତ ଯୋଡ଼ ଯାତ୍ରା କରିଥିବା ବେଳେ ଏହାର ପ୍ରଭାବରେ କଂଗ୍ରେସ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ମଧ୍ୟ କୁହାଯାଉଛି । ଏହି କାରଣରୁ ସେ ବିରୋଧୀଙ୍କ ନେତୃତ୍ୱ ନିଅନ୍ତୁ ରାହୁଲ ଗାନ୍ଧୀ ବୋଲି କଂଗ୍ରେସ ଚାହୁଁଛି । ଆଜି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀରେ ସୋନିଆ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼୍‌ଗେ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ମନିଷ ତିୱାରୀ, ଡିକେ ଶିବକୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.