pakka

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଆଇସକ୍ରିମ ପାର୍ଲର ଓ ଏଗ୍ରିମଲର ଲୋକାର୍ପଣ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

bbehera
  • ମିଶନ ଶକ୍ତି ବିଭାଗ ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖଙ୍କ ଆତ୍ମନିର୍ଭର ଲକ୍ଷ୍ୟରେ ବିଶେଷ ବ୍ୟବସ୍ଥା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଏକ ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଲାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ୨୦,୦୦୦ ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତାର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ କରାଯାଇ ଏକ ସୁ-ବ୍ୟବସ୍ଥିତ ଢଙ୍ଗରେ ବଜାରୀକରଣ କରାଯାଇ ପାରିଛି । ଏହାକୁ ସଫଳ ଏବଂ ଭବିଷ୍ୟତରେ ଦୃଢ଼ୀଭୂତ ବଜାର ନିମନ୍ତେ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ଗଠିତ ସୁବର୍ଣ୍ଣାଶ୍ରୀ ଉତ୍ପାଦକ କମ୍ପାନୀ ତତ୍ୱାବଧାନରେ ରାଧାକୃଷ୍ଣ ମହିଳା ଗୋଷ୍ଠୀ ଦ୍ୱାରା ଆମ୍ବ ଆଇସକ୍ରିମର ସଫଳ ବଜାରୀକରଣ ନିମନ୍ତେ ଆବଶ୍ୟକ ସୁବ୍ୟବସ୍ଥା ଓ ପରିଚାଳନା କରାଯାଉଛି । ପୁନଶ୍ଚ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସହ ଜିଲ୍ଲାରେ ମା’ମାନଙ୍କୁ ଆର୍ଥିକ ସମୃଦ୍ଧି ତଥା ଆତ୍ମନିର୍ଭର ଲକ୍ଷ୍ୟରେ ଆଜି ସୋନପୁର ସହର ସ୍ଥିତ ବ୍ଲକ ମିଶନ ଶକ୍ତି ଗୃହଠାରେ ଏକ ବ୍ୟବସ୍ଥିତ ଆଇସକ୍ରିମ ପାର୍ଲର ସର୍ବ ସାଧାରଣଙ୍କୁ ଉପଲବ୍ଧ କରାଇବା ନିମନ୍ତେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ କରକମଳରେ ଉଦ୍‌ଘାଟନ ହୋଇଯାଇଛି । ଏହି ଆଇସକ୍ରିମ ପାର୍ଲରରେ ଶତ ପ୍ରତିଶତ ପ୍ରାକୃତିକ ପ୍ରସ୍ତୁତ ଷ୍ଟ୍ରବେରୀ, ଗୁଆଭା, କଷ୍ଟାର୍ଡ ଓ ଆମ୍ବର ସମସ୍ତ ପ୍ରକାରର ଆଇସକ୍ରିମ ସୁଲଭ ମୂଲ୍ୟରେ ଉପଲବ୍ଧ ରହିଛି । ପୁନଶ୍ଚ ଜିଲ୍ଲାର ଜନସାଧାରଣଙ୍କୁ କୃଷିଜାତଦ୍ରବ୍ୟରୁ ପ୍ରସ୍ତୁତ ଶତପ୍ରତିଶତ ପ୍ରାକୃତିକ ଉତ୍ପାଦର ଉପଲବ୍ଧତା ତଥା ଜିଲ୍ଲାର କୃଷକ ଓ କୃଷି ଉତ୍ପାଦକଙ୍କୁ ବ୍ୟବସ୍ଥିତ ଓ ସୁନିଶ୍ଚିତ ବଜାରୀକରଣ ନିମନ୍ତେ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆଜି ସ୍ଥାନୀୟ ସୁରେଶ୍ୱରୀ ମନ୍ଦିର ପ୍ରବେଶ ପଥ ସମ୍ମୁଖ ପାଖରେ ଜିଲ୍ଲା ଓର୍‌ମାସ ଏବଂ ମିଶନ ଶକ୍ତିର ଏଗ୍ରିମଲକୁ ମଧ୍ୟ ମାନନୀୟା ଜିଲ୍ଲାପାଳ ଉଦ୍‌ଘାଟନ କରି ଲୋକାର୍ପଣ କରିଛନ୍ତି । କୃଷିଜାତରୁ ପ୍ରସ୍ତୁତ ଉତ୍ପାଦ ଜିଲ୍ଲାର ଅନ୍ୟମାନଙ୍କୁ ରୋଜଗାର ଓ ଆର୍ଥିକ ସ୍ୱଚ୍ଛଳ କରିବା ସହ ପ୍ରେରଣାଦାୟୀ ହୋଇପାରିବ । ଏହି ଉଦ୍‌ଘାଟନ ଅବସରରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଜିଏମ୍‌ଡି ଆଇସି ବଳଭଦ୍ର ନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ହୃଷିକେଶ ଦାଶ, ଡେପୁଟି ସିଇଓ ଓର୍‌ମାସ ଯୁବରାଜ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱନୀ କୁମାର ଭୋଇ,
ଡିପିଏମ୍‌ ଫ୍ରାନସିସ ଲାକ୍ରା, ଓଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ତଥା ଜିଲ୍ଲା ଉତ୍ପାଦକ ଗୋଷ୍ଠୀ ସୁବର୍ଣ୍ଣାଶ୍ରୀ, ବିଏଲ୍‌ଏଫ୍‌ ଓ ରାଧାକୃଷ୍ଣ ଏସ୍‌ଏଚ୍‌ଜିର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 + 17 =