pakka

ମା’ ବାପା ଛେଉଣ୍ଡ ତିନି ଅନାଥ ଶିଶୁଙ୍କୁ ଏବେ ସାହାରା ଦେବ କିଏ ?

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ବାପାଙ୍କ ଦେହାନ୍ତ ପରେ ଏବେ ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି ତିନି ଜଣ ଅନାଥ ଶିଶୁ । ଆଖାସଖା କେହି ନାହିଁ । ଜମି ଭୂମି କିଛି ନାହିଁ । ଆଦିବାସୀ ସଂପ୍ରଦାୟର ଏହି ତିନି ଶିଶୁ ଏବେ ଚାହିଁ ବସିଛନ୍ତି, କିଏ ଦେବ ତାଙ୍କୁ ସାହାରା ! ଏଭଳି ଏକ କରୁଣ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହର ନିକଟସ୍ଥ ରାଣୀଦର୍‌ହୋ ଗାଁରେ । ଆଗରୁ ଦିନ ମଜୁରିଆ କାମ କରି କୁଟୁମ୍ବ ପୋଷୁଥିବା ବାପା ସଦାଶିବ ମଉସିଆଙ୍କ ଦେହାନ୍ତ ହୋଇଥିବା ବେଳେ ବାପାଙ୍କ ଅନ୍ତେ ପରଘରେ ମୂଲ ଲାଗି ମା’ ସେବତୀ ପିଲାମାନଙ୍କ ପେଟ ପୋଷୁଥିଲେ । ଏବେ ଦଶ ବାର ଦିନ ତଳେ ମା’ ବି ଆଖିବୁଜି ଆରପାରିକୁ ଚାଲି ଯାଇଛନ୍ତି । ଗାଁ ଲୋକଙ୍କ ସହଯୋଗରେ ଗତ ୨ ତାରିଖ ଦିନ ତାଙ୍କ ଶୁଦ୍ଧିକ୍ରିୟା ସରିଥିବା ବେଳେ ଏବେ ଖାଁ ଖାଁ ଜୀବନ ତିନି ନାବାଳକ ଅନାଥ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଦୁଃଖର ଦରିଆ ସାଜିଛି । ସୂଚନା ଅନୁସାରେ ବଡ଼ ଭଉଣୀର ବୟସ ପାଖାପାଖି ୧୪ ବର୍ଷ ହେଉଥିବା ବେଳେ ଭାଇର ବୟସ ମାତ୍ର ୧୩ ବର୍ଷ ହେବ । ମାତ୍ର ୧୦ ବର୍ଷର ସାନ ଭଉଣୀ । ବଡ଼ ଭଉଣୀ ଉପରେ ଏବେ ପରିବାରର ବୋଝ । କୁଆଡେ଼ ଯିବ, କିଭଳି ନିଜର ଓ ଭାଇଭଉଣୀଙ୍କ ପେଟ ପୋଷିବ, ସେଇ ଚିନ୍ତାରେ ଭାଙ୍ଗି ପଡ଼ିଛି ବିଚାରୀ । ମା’ଙ୍କ ଶୁଦ୍ଧିକ୍ରିୟା ସରିବା ପର୍ଯ୍ୟନ୍ତ ଘରକୁ ଦୂର ସଂପର୍କୀୟ ବନ୍ଧୁ ବାନ୍ଧବ, ଜ୍ଞାତି ପରିଜନଙ୍କ ଯିବା ଆସିବା ଲାଗି ରହିଥିବା ବେଳେ ତିନି ଅନାଥ ଭାଇଭଉଣୀ ନିରାଶ୍ରୟ ସଂସାରକୁ ଠିକ୍‌ ଭାବେ ଜାଣି ପାରୁନଥିଲେ । ଏବେ ସେମାନେ ଜଳ ଜଳ ଅନୁଭବ କରୁଛନ୍ତି ବେସାହାରା ସଂସାରକୁ । ପେଟ ପାଇଁ ଦାନା ନାହିଁ । ଗାଁ ଲୋକେ ଯେତେବେଳେ ଯାହା ଦେଉଛନ୍ତି, ତାହା ହିଁ ତାଙ୍କର ଖାଦ୍ୟ । ଅନ୍ୟର ହାତଟେକା ଭାତ ମୁଠେକୁ ନିର୍ଭର କରି ଚାହିଁ ବସିଛନ୍ତି ତିନି ଭାଇଭଉଣୀ । ବାପା ମା’ଙ୍କ ଦ୍ୱାରା ତିଆରା ହୋଇଥିବା ଖପର ଘର ଦୁଇ ବଖରା ହିଁ ସେମାନଙ୍କ ଆଶ୍ରୟ ସ୍ଥଳ । ସୂଚନା ଯୋଗ୍ୟ ଯେ, ଦୁଇ ତିନି ବର୍ଷ ତଳେ ସେମାନଙ୍କ ଅଜା ଆଈ ବି ସଂସାର ଛାଡ଼ି ସାରିଛନ୍ତି । ଏବେ ଆଉ ସେମାନଙ୍କ ନିଜର ବୋଲି କେହିକୁ କେହି ନାହାନ୍ତି । ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ସେମାନଙ୍କ ଜୀବନ । ଘନଘୋର ଅଂଧାର ଭିତରକୁ ଠେଲି ହୋଇଯାଇଛି ତିନି ଅନାଥ ଶିଶୁଙ୍କ ଭବିଷ୍ୟତ । ଜିଲ୍ଲା ପ୍ରଶାସନ ଏହି ତିନି ଅନାଥ ଶିଶୁଙ୍କୁ ତୁରନ୍ତ ଥଇଥାନ କରିବାକୁ ଗ୍ରାମବାସୀମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

3 × five =