pakka

ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

kalikesh

– ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିରଠାରେ ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆଜି ଅପରାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଓଡିଶାର ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରି ପ୍ରଦର୍ଶନୀ ମଣ୍ଡପ ଗୁଡିକୁ ପରିଦର୍ଶନ କରିଥିଲେ । ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାରେ ମୋଟ ୭୨ ଗୋଟି ପ୍ରଦର୍ଶନୀ ଷ୍ଟଲ କରାଯାଇଛି । କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ, ପ୍ରାଣୀ ସମ୍ପଦ, ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ, ଓଡିଶା ମିଲେଟ ମିଶନ, ଉଠା ଜଳସେଚନ, ଓରମାସ, ମିଶନ ଶକ୍ତି, ସ୍ଵୟଂ ସହାୟକ ଗୋଷ୍ଠୀ, ଓଡିଶା କୃଷି ଶିଳ୍ପ ନିଗମ, ଏନ୍‌ଜିଓ, କୃଷି ଯନ୍ତ୍ରପାତି ବିକ୍ରୟ କରୁଥିବା ଡିଲର ଆଦି ଏହି ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାରେ ଅଂଶ ଗ୍ରହଣ କରିଛନ୍ତି । ଏଗ୍ରିବୋଟ କମ୍ପାନୀ ମେଳାରେ କୃଷି କାର୍ୟ୍ୟରେ ବ୍ୟବହୃତ ଡ୍ରୋନ ପ୍ରଦର୍ଶନ କରିଥିଲେ । ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ଅନୁଷ୍ଠିତ ସଭାରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଚାଷୀମାନେ ଚାଷ କ୍ଷେତ୍ରରେ କିପରି ଉନ୍ନତି କରିପାରିବେ ସେ ସମ୍ପର୍କରେ ଏହି ମେଳା ବେଶ ସହାୟକ ହେବ ବୋଲି ପ୍ରକାଶ କରିବା ସହ ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଥିବା ସରକାରୀ ରିହାତି ସମ୍ପର୍କରେ ଅବଗତ କରି ସେମାନେ ଏଥିରୁ ଯେପରି ସୁଫଳ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସଭାରେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀମାନେ ନୂତନ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର କରି ଚାଷ କଲେ ବିଭିନ୍ନ ପ୍ରକାରର ଚାଷର ଉନ୍ନତି ହେବା ସଙ୍ଗେ ସଙ୍ଗେ ସେମାନଙ୍କର ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିବା ସହ ସରକାର ମିଲେଟ ମିଶନକୁ ଗୁରୁତ୍ଵ ପ୍ରଦାନ କରୁଛନ୍ତି ତେଣୁ ଏହାକୁ ଯେପରି ପ୍ରୋତ୍ସାହିତ କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସଭାରେ ଜିଲ୍ଲାପାଳ ଚଞ୍ଚଳ ରାଣା ସଭାପତିତ୍ଵ କରି ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ଏ ପ୍ରକାରର ମେଳାର ଆୟୋଜନ କରାଯାଇଛି ଏବଂ ଏହାଦ୍ୱାରା ଜିଲ୍ଲାର ଚାଷୀମାନେ ଚାଷ କାର୍ଯ୍ୟରେ ବ୍ୟବହାର ହୋଇଥିବା ଆଧୁନିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ସମ୍ପର୍କରେ ଜାଣି ଚାଷ କାର୍ଯ୍ୟରେ ଲଗାଇପାରିବେ ବୋଲି ପ୍ରକାଶ କରିଥିଲେ । ଫାର୍ମ ଯାନ୍ତ୍ରିକକରଣ ଓ ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୋତ୍ସାହନ ଜରିଆରେ ଚାଷୀ ମାନଙ୍କ ଜୀବନ ଜୀବିକାର ମାନର ବୃଦ୍ଧି ଘଟିପାରିବ ବୋଲି ସେ ପ୍ରକାଶ କରିଥିଲେ । ସଭାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶେଶ୍ଵର ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆୟୋଜନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାରେ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡାର ଛାତ୍ରଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ସାହୁ, ଓଡିଶା କୃଷି ଶିଳ୍ପ ନିଗମ ତରଫରୁ ୪ ଜଣ ଚାଷୀଙ୍କୁ ସରକାରୀ ରିହାତି ମୂଲ୍ୟରେ ପ୍ରଦତ୍ତ ଟ୍ରାକ୍ଟରର ଚାବି ପ୍ରଦାନ କରିଥିଲେ । ସେହିପରି ଜିଲ୍ଲାର ୫ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୃତ୍ତିକା ସଂରକ୍ଷଣ, ମତ୍ସ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ୩ ଜଣ ଚାଷୀଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ପଞ୍ଚାୟତ ରାଜ ଅନୁଷ୍ଠାନର କର୍ମକର୍ତ୍ତା, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଚାଷୀ, ଏନ୍‌ଜିଓର କର୍ମକର୍ତ୍ତା ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ପାଟଣେଶ୍ଵରୀ ମନ୍ଦିରରୁ କୃଷି ଯନ୍ତ୍ରପାତିର ଏକ ରୋଡ ସୋ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଟ୍ରାକ୍ଟର, ପାୱାର ଟିଲର, ମିନି ଟ୍ରାକ୍ଟର, ଥ୍ରେସର, ରିପ୍ପର, ରୋଟାଭେଟୋର ଆଦି ଏହି ରୋଡ ସୋରେ ସାମିଲ ହୋଇ ସହର ପରିକ୍ରମା କରିଥିଲା ।

pp
Leave A Reply

Your email address will not be published.

3 × one =