
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ଆସନ୍ତା ୧୧ତାରିଖରୁ ବୋଲି ସୂଚନା ମିଳିଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସ୍ପଷ୍ଟ କରାଯାଇଛି । ରାଜ୍ୟରେ କୋଭିଡ୍ -୧୯ ସ୍ଥିତିରେ ସୁଧାର ଓ ପାଠପଢ଼ାରେ କ୍ଷତି ବିଷୟକୁ ଦୃଷ୍ଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ୟୁଜିସିର ନିର୍ଦ୍ଦେଶାବଳୀକୁ ଆଧାର କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ଦିଆଯାଇଛି । ମାର୍ଚ୍ଚ ୧୬ରୁ ୩୧ ତାରିଖ ଯାଏଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସେମିଷ୍ଟାର ପରୀକ୍ଷା ହେବ । ଆଗାମୀ ଏପ୍ରିଲ ୩୦ ତାରିଖରେ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବ । ଫାଇନାଲ ସେମିଷ୍ଟାର ପାଇଁ ଏପ୍ରିଲ ୨ରୁ ଜୁନ ୧୫ ତାରିଖ ଯାଏଁ ଶିକ୍ଷାଦାନ କରାଯିବ । ଠିକ୍ ସେହିପରି ଜୁନ ୧୬ରୁ ୩୧ତାରିଖ ଯାଏଁ ଫାଇନାଲ ସେମିଷ୍ଟାର ପରୀକ୍ଷା ଚାଲିବ ଓ ଜୁଲାଇ ୧୫ରେ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ୟୁଜି/ପିଜି, ପିଏଚଡି, ଏମ୍ଫିଲ୍ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କୋଲାରଙ୍କ ପାଇଁ ଜାନୁଆରୀ ୧୦ ତାରିଖରୁ ହଷ୍ଟେଲ ଖୋଲିବାକୁ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।