pr

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡ଼ି

dr. purohit

ବରଗଡ଼, (କେପିଏନ୍‌ଏସ୍‌) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାର କୃଷକମାନଙ୍କ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ କୃଷକମାନେ ଯେପରି ନିଜ ଗ୍ରାମରେ ଥାଇ ଚାଷ ସମ୍ପର୍କିତ ସମସ୍ତ ସୁବିଧା ପାଇ ପାରିବେ ସେଥିପାଇଁ ନାବାର୍ଡ ମାଧ୍ୟମରେ ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ଼ ଜିଲ୍ଲାକୁ ଗତ ୫ବର୍ଷ ତଳେ ଏକ ଭ୍ରାମ୍ୟମାଣ ମୋବାଇଲ ସେବା ଭ୍ୟାନ ଯୋଗାଇ ଦେଇଥିଲା । ଏହି ଭ୍ରାମ୍ୟମାଣ ଗାଡ଼ିରୁ କୃଷକମାନେ ନିଜ ଗ୍ରାମରେ ଜମାଖାତା ଖୋଲିବା, ନଗଦ ଜମା ଓ ଉଠାଣ, ଏଟିଏମ୍‌ ମାଧ୍ୟମରେ ଋଣ ପ୍ରଦାନ, ମଞ୍ଜୁର ଋଣ ସୀମା, ବିଭିନ୍ନ ଅମାନତ ଓ ଋଣର ସୁଧ, ବିଭିନ୍ନ ଯୋଜନାର ବିଶଦ ବିବରଣୀ ସମ୍ପର୍କରେ ଜାଣିବା ବ୍ୟବସ୍ଥା ହୋଇଥିଲା । ଗତ ୫ ବର୍ଷ ତଳେ ଉକ୍ତ ଗାଡ଼ି ଉଦ୍‌ଘାଟନ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ, ସମବାୟ ନିରୀକ୍ଷକ, କୃଷି ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ ଏହି ଗାଡ଼ିଟି ସେବାରେ ନ ଲାଗି ବରଗଡ଼ ସଦର ମହକୁମାର ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟଳୟ ସମ୍ମୁଖରେ ପଡିରହିଛି । ଏ ନେଇ ବ୍ୟାଙ୍କର ଜନୈକ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଗାଡିଟି ନାବାର୍ଡ ପକ୍ଷରୁ ସେତେବେଳେ ମିଳିଥିଲା । ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ କୃଷକମାନେ ସମବାୟ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ସେବା ପାଇବା ପାଇଁ ଗାଡିଟି ବୁଲିଥାନ୍ତା । ମାତ୍ର ଏହି ଗାଡିରେ ସବୁପ୍ରକାର ସୁବିଧା ଥିଲେ ମଧ୍ୟ ନେଟ୍‌ୱର୍କ ସୁବିଧା ନ ଥିବା, କୁଶଳୀ କର୍ମଚାରୀଙ୍କ ଅଭାବ, ଡ୍ରାଇଭର ଏବଂ ପରିଚାଳନା ପାଇଁ ନାବାର୍ଡ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ଏହା ପଡିରହିଛି । ଏ ସମ୍ପର୍କରେ ନାବାର୍ଡର ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

nrusinghnath
Leave A Reply

Your email address will not be published.