om academy

ଆଗକୁ ରାଜ୍ୟପାଳ, ଉପରାଜ୍ୟପାଳ ନିଯୁକ୍ତି : ପୁଣି ଚର୍ଚ୍ଚାରେ ଓଡ଼ିଶା

jsm

ନୂଆଦିଲ୍ଲୀ : ଓଡ଼ିଶା ଉପରେ ଏବେ ବିଜେପିର ଆଖି । ନିର୍ଦ୍ଦିଷ୍ଟ ସମୟ ସଂପର୍କରେ ସ୍ପଷ୍ଟ ସୂଚନା ଦେଇ ନଥିଲେ ବି ସରକାର ଗଢ଼ିବୁ ବୋଲି ଗତ ମାସରେ ଓଡ଼ିଶାଗସ୍ତ କାଳରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଦଳର ମୁଖ୍ୟ ରଣନୀତିକାର ଅମିତ ଶାହା ବକ୍ତବ୍ୟ ରଖିଥିଲେ । ଏହା ପରେ ପରେ ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତି ଦିଆଯାଇଥିଲା । ଏବେ କେନ୍ଦ୍ର ମନ୍ତ୍ରୀମାନଙ୍କ ଓଡ଼ିଶାକୁ ତୁହାକୁ ତୁହାଗସ୍ତ ଫଳରେ ରାଜ୍ୟ ରାଜନୀତି ସରଗରମ ହେଲାଣି । ଏପଟେ ଓଡ଼ିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପରେ ଏବେ ନୂଆଦିଲ୍ଲୀରେ ଭିନ୍ନ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗକୁ କିଛି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ଓ ରାଜ୍ୟସଭାର ଖାଲି ପଡ଼ିଥିବା ତିନି ମନୋନୀତ ସଦସ୍ୟଙ୍କ ଚୟନ ପ୍ରସଙ୍ଗ ବେଳେ ମଧ୍ୟ ଓଡ଼ିଶାକୁ ଗୁରୁତ୍ୱ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ମିଳୁଥିବା ସୂଚନା ଅନୁସାରେ, ଖୁବ୍‌ ଶୀଘ୍ର ୫ ରାଜ୍ୟପାଳ ଓ ୨ ଉପରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଅରୁଣାଚଳ ପ୍ରଦେଶ, ଆସାମ, ସିକିମ ଓ ମେଘାଳୟରେ ନୂଆ ରାଜ୍ୟପାଳ ନିଯୁକ୍ତି ହେବେ । ମଣିପୁର ରାଜ୍ୟପାଳ ଏଲ୍‌ଏ ଗଣେଷନ୍‌ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ତେଣୁ ପଶ୍ଚିମବଙ୍ଗରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯିବ । ଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ପୁଡୁଚେରିର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଏଣୁ ଖାଲି ହେବାକୁ ଥିବା ଏହି ରାଜ୍ୟମାନଙ୍କରେ ଯେଉଁ ନୂଆ ରାଜ୍ୟପାଳମାନଙ୍କୁ ନିଯୁକ୍ତି ମିଳିବ ସେହି କ୍ରମରେ ଓଡ଼ିଶାରୁ ଜଣକୁ ନିଯୁକ୍ତି ମିଳିପାରେ ବୋଲି କୁହାଯାଉଛି ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ ଇତି ମଧ୍ୟରେ ଓଡ଼ିଶାରୁ ଦୁଇଜଣଙ୍କୁ ରାଜ୍ୟପାଳ ଏବଂ ଜଣକୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ରାଜ୍ୟପାଳ ଭାବେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଛଅ ବର୍ଷ କାର୍ଯ୍ୟ କରିଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ହରିଚନ୍ଦନ ଏବେ ବି କାର୍ଯ୍ୟ କରୁଛନ୍ତି । ଜମ୍ମୁ-କାଶ୍ମର ଉପରାଜ୍ୟପାଳ ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଓଡ଼ିଆ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅକ୍ଟୋବର ୨୫, ୨୦୧୯ରେ ନିଯୁକ୍ତି ମିଳିଥିଲା । ଶ୍ରୀ ମୁର୍ମୁ ଅଗଷ୍ଟ ୨୦୨୦ରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇ ସିଏଜି ଭାବେ କାର୍ଯ୍ୟ କରୁଛନ୍ତି ।

ଏଣୁ ଏଥର ଯଦି ଓଡ଼ିଶା କଥା ବିଚାର କରାଯାଏ ତେବେ ଅବସରପ୍ରାପ୍ତ ଆଇପିଏସ୍‌ ପ୍ରକାଶ ମିଶ୍ରଙ୍କୁ ସମ୍ଭବତଃ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ମିଶ୍ର ୨୦୧୯ରେ କଟକରୁ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଏହା ପରଠାରୁ ତାଙ୍କୁ ରାଜ୍ୟପାଳ ଭାବେ ମୋଦୀ ସରକାର ନିଯୁକ୍ତି ଦେବେ‌ ବୋଲି ରାଜନୈତିକ ମହଲରେ ସବୁବେଳେ କଲ୍ପନାଜଳ୍ପନା ଜାରି ରହିଛି । ସେହିଭଳି ନିକଟରେ ଭାରତୀୟ ସ୍ଥଳ ସେନାର ଉପମୁଖ୍ୟ ଭାବେ ଅବସର ଗ୍ରହଣ କରିଥିବା ଲେଫ୍ଟନାଣ୍ଟ ଚଣ୍ଡିପ୍ରସାଦ ମହାନ୍ତିଙ୍କ ନାମ ମଧ୍ୟ ଆଲୋଚନା ହେଉଛି ।

ରାଜ୍ୟସଭାରେ ଖାଲି ପଡ଼ିଥିବା ତିନିଟି ମନୋନୀତ ସଦସ୍ୟଙ୍କ ପଦ ମଧ୍ୟ ପୂରଣ କରାଯିବ । ୨୦୧୮ରେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ଓ ପ୍ରସିଦ୍ଧ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ରାଷ୍ଟ୍ରପତି ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ । ଗତବର୍ଷ ମେ’ରେ କରୋନାରେ ରଘୁନାଥଙ୍କ ମୃତ୍ୟୁ ଘଟିଥିଲା । ଶିକ୍ଷା, ସାହିତ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ କରିଥାନ୍ତି । ବର୍ତ୍ତମାନ ରାଜ୍ୟସଭାରେ ୯ ଜଣ ମନୋନୀତ ସଦସ୍ୟ ଅଛନ୍ତି । ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବରରୁ ଆରମ୍ଭ ହେବା ସମ୍ଭାବନା ରହିଛି । ଏହା ପୂର୍ବରୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ତିନି ମନୋନୀତ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ ବୋଲି କୁହାଯାଉଛି । ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ ବିଜେପି ଦକ୍ଷିଣ ଭାରତ, ଓଡ଼ିଶା ଭଳି ରାଜ୍ୟକୁ ପ୍ରାଥମିକତା ଦେଉଥିବାରୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ରାଜ୍ୟସଭାର ତିନି ସଦସ୍ୟଙ୍କ ମଧ୍ୟରୁ ଓଡ଼ିଶାରୁ ମଧ୍ୟ ଜଣେ ମନୋନୀତ ହୋଇପାରନ୍ତି ।

Leave A Reply

Your email address will not be published.