jayashree

କଟକ ବାଲିଯାତ୍ରା : ଦିନରୁ ରାତିଯାଏଁ ଅସମ୍ଭାଳ ଭିଡ଼

କଟକ : ଐତିହାସିକ କଟକ ବାଲିଯାତ୍ରାର ସପ୍ତମ ଦିନ ରବିବାର ସମ୍ପୂର୍ଣ୍ଣ ଅଲଗା ଥିଲା, ଯାହାକୁ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିିଁ । ଯେଉଁ ଆଡେ ଦେଖିଲେ ଖାଲି ଲୋକ ଗହଳି । ରବିବାର ଛୁଟିଦିନ ଥିବାରୁ ଦିନରୁ ରାତି ଯାଏଁ ଅସମ୍ଭାଳ ଭିଡ଼ ଦେଖା ଯାଇଥିଲା । ବାଲିଯାତ୍ରାକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ମଟରର ଧାଡି ଲାଗିଥିଲା । ବାଲିଯାତ୍ରା ପଡିଆ ତ ଦୂରର କଥା, ପାର୍କିଂ ଷ୍ଟାଣ୍ଡରେ ଗାଡ଼ି ପହଞ୍ଚିଲାବେଳକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଉଥିଲା । ଭିଡ଼ ଏମିତି ଥିଲା ଯେ, ଚାଲିକରି ଯିବା କଷ୍ଟକର ହୋଇପଡ଼ିଥିଲା ୧୫ଟି ପାର୍କିଂଷ୍ଟାଣ୍ଡ କରାଯାଇଥିଲେ ମଧ୍ୟ ତା ପୂର୍ବରୁ ସେଗୁଡିକ ପୂର୍ଣ୍ଣ ହୋଇଯାଇଥିଲା । ଏପରି ପରିସ୍ଥିତି ହୋଇଥିଲା ଯେ, ସନ୍ଧ୍ୟା ୬ଟା ପରଠାରୁ ଗାଡି ରଖିବାକୁ ଆଉ ଜାଗା ନ ଥିଲା । ପ୍ରାୟ ୧୧ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨ଟା ପରଠାରୁ ଯାତ୍ରା ପଡ଼ିଆକୁ ଲୋକଙ୍କ ସୁଅ ଛୁଟିଥିଲା । ଓର୍‌ମାସ୍‌, ଦିବ୍ୟାଙ୍ଗ ଓ କିନ୍ନର ଷ୍ଟଲ୍‌ ସମେତ ଉଭୟ ଉପର ଓ ତଳ ପଡିଆରେ ବେପାର ଜମିଥିଲା । କେବଳ ଓର୍‌ମାସ୍‌ ଷ୍ଟଲ୍‌ରେ ୯କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଅନୁମାନ କରାଯାଉଛି । ବଡ ଷ୍ଟଲ୍‌ କରିଥିବା ବ୍ୟବସାୟୀଙ୍କଠାରୁ ଉଠା ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ଭଲ ବ୍ୟବସାୟ କରିଛନ୍ତି । ବିଶେଷକରି ରବିବାର ଆମିଷ ଷ୍ଟଲ୍‌ରେ ଭିଡ଼ ଅଧିକ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆରେ ଲୋକ ଭିଡ଼ ହୋଇଥିଲା । ଅନ୍ୟପକ୍ଷରେ ଅସମ୍ଭାଳ ଭିଡ଼ ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଫେଲ୍‌ ମାରିଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ବିଭିନ୍ନ ଆଡୁ ଆସୁଥିବା ଲୋକଙ୍କୁ ରାସ୍ତାରେ ପୋଲିସ ଅଟକାଇ ରଖିଥିଲା । ଅପରପକ୍ଷେ ବାଲିଯାତ୍ରାରେ ପ୍ରବଳ ଭିଡ କାରଣରୁ ଅନେକ ପଡିଆ ଭିତରକୁ ପ୍ରବେଶ କରି ନ ପାରି ଫେରି ଯାଇଥିଲେ ।

Leave A Reply

Your email address will not be published.