jayashree

୪୦ ବର୍ଷରେ ପଦାର୍ପଣ କଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ

  • ଆଜି ଠାରୁ ଦୁଲକି ଉଠିବ ରଙ୍ଗମଂଚ
  • ୫ ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଜିଲ୍ଲା ତଥା ଜିଲ୍ଲା ବାହାରର ସାଂସ୍କୃତିକ ଦଳ
  • ୭୦ ହଜାରରୁ ଅଧିକ ଦର୍ଶକଙ୍କ ହୋଇଥାଏ ଭିଡ଼

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ୪୦ ବର୍ଷରେ ପଦାର୍ପଣ କରିବ । ଶୁକ୍ରବାରରୁ ଆରମ୍ଭ ହେବ ଏହି ଯାତ୍ରା । ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଧାର୍ମିକ ଭାବଧାରାର ଏକ ଅନନ୍ୟ ପରିଚୟ ହେଉଛି ବଙ୍ଗୋମୁଣ୍ଡାର ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୪୦ ବର୍ଷର ଗୌରବମୟ ଯାତ୍ରା ଅତିକ୍ରମ କରି ଏହି ମହୋତ୍ସବ ଆଜି ଅଞ୍ଚଳବାସୀଙ୍କ ଭାବାବେଗ, ଆସ୍ଥା ଓ ଗର୍ବର ପ୍ରତୀକ ହୋଇପାରିଛି। ଧନୁଯାତ୍ରା କେବଳ ଏକ ମନୋରଞ୍ଜନଧର୍ମୀ ଉତ୍ସବ ନୁହେଁ, ବରଂ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏକ ମହାନ ବାର୍ତ୍ତା ବହନ କରେ । ଏହି ମହୋତ୍ସବ ମାଧ୍ୟମରେ କଳାକାରମାନେ ନିଜର ଅଭିନୟ ଓ କଳାନୈପୁଣ୍ୟ ପ୍ରଦର୍ଶନ କରିବା ସହ ଆମ ଲୋକକଳା, ଲୋକସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି । ଏହା ସାମାଜିକ ଏକତା, ଭାଇଚାରା ଓ ସାଂସ୍କୃତିକ ସମନ୍ୱୟର ଏକ ସୁନ୍ଦର ଉଦାହରଣ । ଚାଳିଶ ତମ ବର୍ଷର ଏହି ଗୌରବମୟ ଅବସରରେ ଧନୁଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ, କଳାକାର, ସହଯୋଗୀ ଓ ଅଞ୍ଚଳବାସୀଙ୍କ ନିଷ୍ଠା, ତ୍ୟାଗ ଓ ସହଯୋଗ ନିଶ୍ଚିତ ଭାବରେ ପ୍ରଶଂସନୀୟ । ସମସ୍ତଙ୍କ ମିଳିତ ଉଦ୍ୟମରେ ଏହି ମହୋତ୍ସବ ଆଗାମୀ ଦିନରେ ଆହୁରି ଗୌରବମୟ ହେଉଛି । ଏହି ମହାନ ସାଂସ୍କୃତିକ ଉତ୍ସବରେ ସାମିଲ ହୋଇ ଆମ ଐତିହ୍ୟ ଓ ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ବୋଲି କମିଟି ଅଣ୍ଟା ଭିଡିଛନ୍ତି । ପରିବର୍ତ୍ତନ ହେବ ମହାନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ମହାନାଟକରେ । ବଙ୍ଗୋମୁଣ୍ଡା ପାଲଟିଯିବ ପୌରାଣିକ ମଥୁରାନଗରୀ ଏବଂ ଗୋହିରାପଦର ଗ୍ରାମ ପାଲଟିଯିବ ଗୋପପୁର ଗଣତନ୍ତ୍ର ପରିଚାଲିତ ଜନସାଧାରଣ ନିଜସ୍ୱ ଭାବେ ପରିଗଣିତ ହେବେ ମଥୁରା ନାଗରିକ ଭାବେ । ପାଂଚ ଦିନ ଧରି ପାଳିତ ହେବ ଏହି ଯାତ୍ରା ମହୋତ୍ସବ ପୌରାଣିକ ମହାନ୍ ଖଲନାୟକ କଂସ ହେବେ ଏହି ଯାତ୍ରାର ମହାନାୟକ । ତାଙ୍କରି ଆଦେଶରେ ସମସ୍ତ ପ୍ରକାର କାର୍ଯ୍ୟ ନିର୍ବାହ କରିବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି କମିଟୀ ସହ କଳାକାର, କଳାପ୍ରେମୀ, ମଥୁରା ନଗରୀ (ବଙ୍ଗୋମୁଣ୍ଡା) ଧନୁଯାତ୍ରା କମିଟିର ଉତ୍ସାହ ଏବଂ ନିଃସ୍ୱାର୍ଥପର ପ୍ରଚେଷ୍ଟା ବଳରେ ରାଜ୍ୟସ୍ତରୀୟ ମହାନାଟକ ଭାବେ ପରିଣତ ହେବାକୁ ଯାଉଥିବା ଧନୁଯାତ୍ରା ନିଶ୍ଚିତ ଭାବେ ତାର ଉଚ୍ଚିତ ସ୍ଥାନ ଅଧିକାର ପୂର୍ବକ ଏକ ଇତିହାସ ସୃଷ୍ଟି କରିବ ବୋଲି କମିଟି ଓ ଗ୍ରାମବାସୀଙ୍କ ବିଶ୍ୱାସ । ସାମାନ୍ୟ ଭାବେ କିଛି କଳାକାର ପ୍ରେମୀ ଧର୍ମ ବିଶ୍ୱାସୀଙ୍କ ଦ୍ୱାରା କାର୍ତ୍ତିକ ପୂର୍ଣ୍ଣିମା ସନ ୧୯୮୬ ଠାରୁ ଆରମ୍ଭ ହୋଇଛି ଏକଦିବସୀୟ କଂସବଧ ମେଳା । କାର୍ତ୍ତିକ ବ୍ରତ ପାଳନରୁ ପୁରାଣ ଶ୍ରୋତାଙ୍କ ଦ୍ୱାରା ପୂର୍ଣ୍ଣିମା ତିଥିକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥାଏ ଏହି ମହାଯାତ୍ରା । ପ୍ରତିଷ୍ଠାତା ମାଧବ ହଂସ, ସ୍ୱର୍ଗତ ମୂର୍ତ୍ତିଶିଲ୍ପି ଝାରୁ ରଣା, ସ୍ୱର୍ଗତ ବ୍ରଜ ମୋହନ ବଗର୍ତ୍ତୀ, ସ୍ୱର୍ଗତ ବେଣୁ ରଣା, ସ୍ୱର୍ଗତ ନାଟ୍ୟକାର ମେନା ସରାଫ, ସିତାରାମ ପାଣିଗ୍ରାହୀ, ନରୋତ୍ତମ ଥନାପତି, ଶିବରାମ ହଂସ, ହିରା ବାଗ, ଶଙ୍କର ଠେଲା ପ୍ରମୁଖଙ୍କ ଦ୍ୱାରା ପ୍ରଚେଷ୍ଟା କ୍ରମେ ଆରମ୍ଭ ହୁଏ କଂସବଧ ଧନୁଯାତ୍ରା । ବିଭିନ୍ନ ସମୟ କ୍ରମେ କଂସ ଭୂମିକାରେ ବ୍ରଜ ମୋହନ ବଗର୍ତ୍ତୀ, ସୀତାରାମ ପାଣିଗ୍ରାହୀ, ସ୍ୱର୍ଗତ ଶିବରାମ ହଂସ ଏବଂ କୃଷ୍ଣ ବଲରାମ ଭୂମିକାରେ ଦେବ ବାଗ, ହରେରାମ ପାଣିଗ୍ରାହୀ, ଅମିତ ଥନାପତି, ଲଛମନ ପାଣିଗ୍ରାହୀ, ଭବାନୀ ବଗର୍ତ୍ତୀ ପ୍ରମୁଖ । ଅକ୍ରୁର ଭୂମିକାରେ ସ୍ୱର୍ଗତ ବେଣୁ ରଣା, ଶଙ୍କର ଠେଲା, ଗୋପୀ ଭୂମିକାରେ କାହ୍ନୁ ରଣା, ମହାମନ୍ତ୍ରୀ ଭୂମିକାରେ ଭାଗ୍ୟଧର ବେହେରା, ରୁକ୍ମଣ ତ୍ରିପାଠୀ, ବସୁଦେବ ଭୂମିକାରେ ପୃଥ୍ୱୀରାଜ ବାଗ, ବାଦ୍ୟଯନ୍ତ୍ରରେ ଭିକାରୀଚରଣ ବାରିକ, ବିଜୟ କୁମାର ପ୍ରଧାନୀ, ଟଙ୍କଧର ମନହୀରା, ସନ୍ତୋଷ ତ୍ରିପାଠୀ, ଥଣ୍ଡିରାମ ବାରିକ ପ୍ରମୁଖ ଅଂଶ ଗ୍ରହଣ ପୂର୍ବକ ସହଯୋଗ କରି ଜନସାଧାରଣଙ୍କ ଦୃଷ୍ଟି ଗୋଚର କରିଆସିଛନ୍ତି । ସମୟ କ୍ରମେ ୨୫ ବର୍ଷ ରୌପ୍ୟ ଜୟନ୍ତୀ ପାଲନ କଲା ଓ ଗ୍ରାମବାସୀଙ୍କ ସହଯୋଗ ସହାନୂଭୁତିରୁ ଆଡମ୍ବର ଭାବେ ତ୍ରିଦିବସୀୟ ପରେ ପଂଚଦିବସୀୟ ଯାତ୍ରା ମହୋତ୍ସବ ଭାବେ କମିଟି ଦ୍ୱାରା ପରିଚାଳିତ ହୋଇଆସୁଛି । ରୌପ୍ୟ ଜୟନ୍ତୀ ପାଳନ ଅବସର ଠାରୁ ଅଦ୍ୟବଧି ଖଳନାୟକରୁ ମହାନାୟକ କଂସ ଭୂମିକାରେ ରବିନ୍ଦ୍ର କୁମାର ସାହୁ ଅନ୍ୟାନ୍ୟ ଭୂମିକାରେ ସ୍ୱର୍ଗତ ପ୍ରସନ୍ନ ଦେବଗୁରୁ, ଶଙ୍କର ଠେଲା, ମୁଷ୍ଟିକ ଚାଣୁର ଘନଶ୍ୟାମ ସିନ୍ଦୁର ଓ ମଧୁସୂଦନ ସାହୁ ଅଭିନୟ କରୁଥିବା ବେଳେ ଆୟୋଜକ କମିଟିଙ୍କ ସହ ଗ୍ରାମବାସୀ ସାହାର୍ଯ୍ୟ ସହଯୋଗ କରି ଯାତ୍ରାକୁ ମହାଆଡମ୍ବରରେ ପାଳନ କରିଆସୁଛନ୍ତି । ଯାତ୍ରା ସହ ଆକାଶ ଦୋଳି, ମିନା ବଜାର, ସର୍କସ, ଅପେରା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ କରୁଛନ୍ତି ।

Leave A Reply

Your email address will not be published.