pakka

ପୁଇଁନ୍ତଲା ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପୁଇଁନ୍ତଲା ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରାତଃରେ ପୁଇଁନ୍ତଲା ଗ୍ରାମସ୍ଥିତ ପୋଖରୀରେ ଡଙ୍ଗା ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଭଷାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ସମେତ ପୁଇଁନ୍ତଲା ଗ୍ରାମବାସୀ ଉପସ୍ଥିତ ଥିଲେ । ସକାଳ ୭ଟାରୁ ୯ଟା ମଧ୍ୟରେ ପୁଇଁନ୍ତଲା ଗ୍ରାମରେ ଝୋଟିଚିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗାଁର ମହିଳାମାନେ ନିଜ ନିଜ ଘର ବାହାରେ ଝୋଟିଚିତା ଅଙ୍କନ କରିଥିଲେ । ଏତଦ୍‌ବ୍ୟତୀତ ଗ୍ରାମବାସୀମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉପଲକ୍ଷେ ନିଜ ଘର ଚାରିପାଖକୁ ସଫା ସୁତୁରା କରିଥିଲେ । ପରେ ପୁଇଁନ୍ତଲା ବ୍ଲକ କାର୍ଯ୍ୟଳୟ ପରିସରରେ ହୁଳହୁଳି, ପିଠାପଣା ଓ ଓଡ଼ିଆଣୀ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ବ୍ଲକ କାର୍ଯ୍ୟଳୟ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉପଲକ୍ଷେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି, ପୁଇଁନ୍ତଲା ପଂଚାୟତ ସମିତିର ଅଧ୍ୟକ୍ଷା ଜମୁନା ବିଶ୍ୱାଳ, ବିଡ଼ିଓ ଯୁଧିଷ୍ଠିର ନାୟକ, ନାଟ୍ୟଭୂଷଣ ଛୁରିଆ, ଗୁରୁଶ୍ରୀ ଡ. ଘାସୀରାମ ମିଶ୍ର, କାଳୀପ୍ରସାଦ ଷଡ଼ଙ୍ଗୀ, ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ଓ.ଏସ୍‌ଡ଼ି. ତଥା ପୂର୍ବତନ ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସୁରେନ୍ଦ୍ର ଗରୁଡ଼, କୁମରମଣି ସେଠ୍‌ ପ୍ରମୁଖ ସମ୍ମାନିତ ଅତିଥବ ଭାବେ ଯୋଗ ଦେଇ କାର୍ତ୍ତିକ ପୂର୍ଣ୍ଣିମା ପାଳନର ମହାତ୍ମ୍ୟ ଓ ଲୋକକଳା ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଝୋଟିଚିତା, ସ୍ୱଚ୍ଛ ପରିବେଶ (ଘର), ହୁଳହୁଳି, ପିଠାପଣା, ଓଡ଼ିଆଣୀ ବେଶ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀ ଗରୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସେଠାରେ ଘୁଂଗୁରୁ କଳା ପରିଷଦ ପୁଇଁନ୍ତଲା ଦ୍ୱାରା ମନୋଜ୍ଞ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦିଲୀପ କୁମାର ସିଂହଦେଓ, ବାସୁଦେବ ମେହେର, ଜବାହରଲାଲ ନନ୍ଦ, କସ୍ତୁରୀ ରଥ, ସବିତା ମହରା ଓ ଅନୁପ୍ରିୟା ମିଶ୍ର ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପୁଇଁନ୍ତଲା ଲୋକକଳା ଗ୍ରାମର ଗ୍ରାମବାସୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.

15 − eleven =