
ନୂଆପଡା, (କେପିଏନ୍ଏସ୍) : ନୂଆପଡାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ “ଅନଲାଇନ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି । ବେଟି ବଚାଓ ବେଟି ପଢ଼ାଓ” ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଉଦଘାଟନ କରିଥିଲେ । ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସାଇବର ଠକେଇରୁ ସଚେତନ ରହିବା ଓ ଏହାର ପ୍ରତିକାର ଉପାୟ ସମ୍ବନ୍ଧରେ ଅବଗତ କରାଇଥିଲେ । ଏହାସହ, ସେ ସଡ଼କ ସୁରକ୍ଷା ପାଇଁ ହେଲମେଟ ପିନ୍ଧିବାର ଗୁରୁତ୍ୱ ଉପରେ ଜୋର ଦେଇ “ହେଲମେଟ ହବ୍” ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ୍. ଗୀତା ଅତିଥି ପରିଚୟ ପ୍ରଦାନ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ମହିଳା ଓ କିଶୋରୀମାନଙ୍କୁ ଅନଲାଇନ ଜଗତରେ ସୁରକ୍ଷିତ ରହିବା, ସାଇବର ଅପରାଧର ପ୍ରକାର, ତାହାର ପ୍ରଭାବ ଓ ପ୍ରତିରୋଧ ଉପାୟ ବିଷୟରେ ସଚେତନ କରାଇବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ । କର୍ମଶାଳାରେ ଡିଏଲ୍ଏସ୍ଏ ସଚିବ ନବନୀତା ଦାସ, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧିକାରୀ ବିନୟ ତିୱାରୀ ଓ ସାଇବର ଥାନା ଆଇଆଇସି ମହେଶ୍ୱର ପାଣିଗ୍ରାହୀ ବକ୍ତା ଭାବେ ଯୋଗଦେଇ ସାଇବର ଅପରାଧର ବିଭିନ୍ନ ରୂପ—ଯଥା ଫିସିଙ୍ଗ, ଅନଲାଇନ ଠକେଇ, ସୋସିଆଲ ମିଡିଆର ଦୁରୁପଯୋଗ ଓ ଡିଜିଟାଲ ବୁଲିଂ—ସମ୍ପର୍କରେ ଆଇନଗତ ବ୍ୟବସ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ମୋବାଇଲ ଓ ସୋସିଆଲ ମିଡିଆ ବ୍ୟବହାର ସମୟରେ ଗୋପନୀୟତା ରକ୍ଷା, ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର ଓ ଅଜଣା ଲିଙ୍କ ଓ ସନ୍ଦେଶକୁ ଏଡ଼ାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଏହା ସହ ସାଇବର ଅପରାଧ ଘଟିଲେ କିପରି ଅଭିଯୋଗ କରିବେ, ଜାତୀୟ ସାଇବର କ୍ରାଇମ ପୋର୍ଟାଲ ଓ ହେଲ୍ପଲାଇନ୍ ନମ୍ବର ୧୯୩୦ ବିଷୟରେ ମଧ୍ୟ ଅଂଶଗ୍ରହୀମାନଙ୍କୁ ଜଣାଇ ଦିଆଯାଇଥିଲା । ଡିଜିଟାଲ ବୁଲିଂର ପ୍ରଭାବ ଓ ତାହାର ପ୍ରତିରୋଧ ପାଇଁ ମନୋସାମାଜିକ ସହାୟତାର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ, ସମସ୍ତ ବିଡିଓ, ବିଇଓ, ସିଡିପିଓ, ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ବିଭାଗର ପ୍ରତିନିଧି, ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । “ବେଟି ବଚାଓ ବେଟି ପଢ଼ାଓ” ଯୋଜନା ଅଧୀନରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ଅର୍ଜନ କରିଥିବା ଛାତ୍ରୀ କୁମାରୀ ପୁନମ ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହ ସାଇବର ସୁରକ୍ଷା ସଚେତନତା ପ୍ରଚାର ପାଇଁ ତିନିଜଣ ବ୍ରାଣ୍ଡ ଆମ୍ବାସଡରଙ୍କୁ ମଧ୍ୟ ଜିଲ୍ଲାପାଳଙ୍କ ଦ୍ୱାରା ମାନପତ୍ର ଓ ନଗଦ ପୁରସ୍କାର ସହ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଜିଲ୍ଲା ମିଶନ ସଂଯୋଜକ ଆଶିଷ ରଞ୍ଜନ ଖମାରୀଙ୍କ ସହ ନାରଦ ଛତର, ସଞ୍ଜୟ ବନ୍ଦିଛୋର, ଇପ୍ସିତା ରାଜପୁତ, ରମାକାନ୍ତ ସେଠୀ, ରାକେଶ ନାଗ, ସୁମିତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଳା ଧନ୍ୟବାଦ ଜ୍ଞାପନ କରିଥିଲେ ।