
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତରେ ଥିବା କପିଳଧାର ଜଳପ୍ରପାତ ନିକଟରୁ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ପାଇକମାଲ ଦମକଳ ବାହିନୀ । ଉଦ୍ଧାର ହୋଇଥିବା ମହିଳା ହେଲେ ଛତିଶଗଡ଼ର ୫୪ ବର୍ଷୀୟ ଚନ୍ଦ୍ରକାନ୍ତି ସିଦାର । ସୂଚନା ଅନୁସାରେ, ଛତିଶଗଡ଼ର ଶକ୍ତି ଜିଲ୍ଲା ଡଭରା ଥାନା ଅଧୀନ ସବରିପାଲି ଗ୍ରାମରୁ ପ୍ରାୟ ୨୫ ଜଣ ଶ୍ରଦ୍ଧାଳୁ ସୋମବାର ଏକ ପିକଅପ୍ ଭ୍ୟାନ୍ରେ ହରିଶଙ୍କର ମନ୍ଦିରକୁ ଆସିଥିଲେ । ହରିଶଙ୍କରରେ ଭଗବାନ ଶିବଙ୍କ ଦର୍ଶନ ପରେ ଦଳର ୧୦ ଜଣ ପିକଅପ୍ ଭ୍ୟାନ୍ରେ ନୃସିଂହନାଥ ଅଭିମୁଖେ ବାହାରିଥିଲେ । ଅନ୍ୟ ୧୫ ଜଣ ପାହାଡ଼ ରାସ୍ତା ଦେଇ ପାଦରେ ନୃସିଂହନାଥ ଯାଉଥିଲେ । ବାଟରେ ଶ୍ରଦ୍ଧାଳୁମାନେ ଦୁଇଟି ଦଳରେ ଆଗପଛ ହୋଇ ଯାଉଥିଲେ । ଅନ୍ୟମାନେ ଅପରାହ୍ନ ପ୍ରାୟ ୩ଟା ସୁଦ୍ଧା ନୃସିଂହନାଥରେ ପହଞ୍ଚି ଯାଇଥିଲେ । କିନ୍ତୁ ଚନ୍ଦ୍ରକାନ୍ତି ସିଦାର ପହଞ୍ଚିନଥିବାରୁ ସାଥୀମାନେ ଚିନ୍ତିତ ହୋଇପଡ଼ିଥିଲେ । ଏନେଇ ଟିକେଶ୍ୱର ପଟେଲ ପାଇକମାଲ ଥାନାକୁ ଖବର ଦେଇଥିଲେ । ପୁଲିସଠାରୁ ସୂଚନା ପାଇବା ପରେ ପାଇକମାଲ ଦମକଳ ବାହିନୀ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା । ନିରଞ୍ଜନ ବାରିକଙ୍କ ତତ୍ତ୍ୱାବଧାନରେ ଦମକଳ କର୍ମଚାରୀ ବିହାରୀଲାଲ ବାଗ, ସରୋଜ ବେହେରା, ବିକାଶ ସୋରେନ, ରାଧାକାନ୍ତ ବାଗ ଓ ଶିବଶମ୍ଭୁ ବଗର୍ତ୍ତିଙ୍କ ସମେତ ଏକ ଟିମ୍ ଟିକେଶ୍ୱର ପଟେଲଙ୍କ ସହ କପିଳଧାର ଅଭିମୁଖେ ଯାଇଥିଲେ । ଦୀର୍ଘ ଖୋଜାଖୋଜି ପରେ କପିଳଧାର ନିକଟରୁ ଚନ୍ଦ୍ରକାନ୍ତିଙ୍କୁ ଠାବ କରାଯାଇଥିଲା । ଦମକଳ କର୍ମଚାରୀମାନେ ତାଙ୍କୁ ସୁରକ୍ଷିତ ଭାବେ ନୃସିଂହନାଥକୁ ଆଣିଥିଲେ । ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଓଡ଼ିଶାର ଦମକଳ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ, ସହଯୋଗ ଓ ସହାନୁଭୂତି ପାଇଁ ଶ୍ରଦ୍ଧାଳୁମାନେ ଖୁସି ପ୍ରକାଶ କରିବା ସହ ଦମକଳ ବାହିନୀକୁ ପ୍ରଶଂସା କରିଛନ୍ତି ।