jayashree

ସରସ୍ଵତୀ ବିଦ୍ୟାମନ୍ଦିର ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ଶିକ୍ଷାବର୍ଷରେ ରାଉରକେଲା ଶିକ୍ଷା ଜିଲ୍ଲାର ପ୍ରାୟ ୧୫ଟି ସରକାରୀ ଓ ଘରୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ବୋର୍ଡ ପରୀକ୍ଷାରେ ଉତ୍ତମ ଫଳ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଉରକେଲା ସହ ସଂଘ ଚାଳକ ବେଣୁ ଗୋପାଳ ମାଲାନି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଅତିଥି ପରିଚୟ ସହ ସ୍ୱଗତ ଭାଷଣ ଦେଇଥିଲେ । ବିଦ୍ୟା ମନ୍ଦିରର ଉପସଭାପତି ଅଧ୍ୟାପକ ମାନସ ରଞ୍ଜନ ବେହେରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାଦାନ ପଦ୍ଧତି ଓ ଉତ୍ତମ ନାଗରିକ ଗଠନ ନିମନ୍ତେ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ କହିଥିଲେ । ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଯୁବପିଢୀ ଉତ୍ତମ ଶିକ୍ଷା ପାଇଲେ ଦେଶ ପ୍ରଗତିରେ ସହାୟକ ହୋଇପାରିବ ବୋଲି କହିଥିଲେ । ଏହା ସହ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଯୁକ୍ତଦୁଇର ବିଜ୍ଞାନ, ବାଣିଜ୍ୟ, କଳା ବିଭାଗ ଖୋଲିବା ପାଇଁ ପ୍ରୟାସ ଜାରି ସହ ଏଥିପାଇଁ ଏକ ଷ୍ଟୁଡେଣ୍ଟ୍ ହେଲପିଂ ସେଣ୍ଟର୍ ରହିବା ସମ୍ପର୍କରେ ସୂଚନା ଦେଇଥିଲେ । ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର ଡ. ବିଶ୍ୱନାଥ ପରିଜା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ୪ ତାରିଖରେ ପ୍ରଥମ ମେଧାବୀ ସମ୍ମାନ ପ୍ରଦାନ କରାଯାଇଥିଲା । ସଭାପତି ମିତ୍ରଭାନୁ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାମନ୍ଦିରର ଆଚାର୍ଯ୍ୟା ସୁମିତ୍ରା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ପ୍ରମୋଦ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ରନାଥ ଦାସ, ଦୀନବନ୍ଧୁ ରଥ, ଶୁଭଲକ୍ଷ୍ମୀ ବେହେରା, ସତ୍ୟଜିତ, ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ସମେତ ବିଦ୍ୟାମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.