jayashree

ଦଶଟି ଆଦିବାସୀ ପରିବାରର ଦରଦ୍‌ଭରା ଜୀବନ ଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ପ୍ରକଳ୍ପର ଶିଳାନ୍ୟାସ ଅନେକ କଳାହାଣ୍ଡି ବାସୀଙ୍କୁ ଆଶ୍ୱାସନା ଦେବା ସହିତ ବିକାଶ ଓ ପରିବର୍ତ୍ତନର ବାର୍ତ୍ତା ଆଣି ଦେଇଥିଲା । ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାବେଳକୁ ଶ୍ରମିକମାନେ ପାପୁଲିକୁ ଶକ୍ତ କରି ନିର୍ମାଣ କାର୍ଯ୍ୟରେ ଲାଗିଗଲେ । କିନ୍ତୁ ଯେଉଁମାନେ ନିଜର ପୈତୃକ ଭିଟାମାଟିରେ ପ୍ରକଳ୍ପର ସ୍ୱପ୍ନ ଆଙ୍କି ନିଜକୁ ବିନ୍ଧାଣୀ ସଜାଇ ଥିଲେ । ସେହିମାନେ ହିଁ ଏକ ବର୍ଜିତ ମାନଚିତ୍ର ଭାବରେ ପ୍ରକଳ୍ପର ସାମାଜିକ ବିକାଶ ଧାରାରୁ ବଞ୍ଚିତ ହୋଇଗଲେ । ଆମେ କହୁଛୁ ଇନ୍ଦ୍ରାବତୀ ପ୍ରକଳ୍ପର ପ୍ରାଣକେନ୍ଦ୍ର ଶକ୍ତି ଗୃହ ପରିଧିରେ ରହିଥିବା ମୁଖିଗୁଡା ଗ୍ରାମର ମାଝୀ ପଡ଼ାର ଦଶଟି ପରିବାର କଥା । ପରିବାର ସଂଖ୍ୟା ଅଧିକ ରହିଥିବା ବେଳେ ହାତକୁ ରୋଜଗାର ନ ଥିବାରୁ ଅନେକ ଏଣେତେଣେ ଚାଲିଗଲେ । ଏବେ ମାତ୍ର ଦଶଟି ପରିବାର ସମସ୍ତେ ଆଦିବାସୀ ସଂପ୍ରଦାୟର । ଲୋକେ ଦାରିଦ୍ର୍ୟତାର ସୀମାରେଖା ତଳେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନରେ ଅଗ୍ରଣୀ ଭୂମିକା ନେଇଥିବା ଅଞ୍ଚଳର ଲୋକେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି । ମୁଖିଗୁଡା ଗ୍ରାମର ଏହି ଅଭିଶପ୍ତ ଅଞ୍ଚଳ ପାଇଁ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ମଧ୍ୟ ପହଞ୍ଚି ପାରି ନ ଥିବା ବେଳେ ଏଠାକାର ସରଳ ମଣିଷ ମାନଂକ ପାଇଁ ନିର୍ବାଚିତ ବଡ଼ ପ୍ରତିନିଧିମାନେ ମଧ୍ୟ ପାସୋରି ଯାଇଥିବା ଅଭିଯୋଗ ହୋଇଛି । ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଛଅଟି ପରିବାର ଆଜିବି ଝାଟିମାଟି କୁଡିଆରେ ଜୀବନ କାଟୁଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ମାଆ ଓ ପୁଅ ଦାଦନ ଖଟିବା ପାଇଁ ବେଙ୍ଗାଲୁର୍‌ ଯାଇଥିବା ବେଳେ ଏପଟେ ସ୍ଵାମୀଙ୍କ କେନାଲରେ ଭାସି ଯାଇ ମୃତ୍ୟୁ ଘଟଣା ଅନେକଙ୍କୁ ଚହଲାଇ ଦେଇଥିଲା । ଦାରିଦ୍ର୍ୟତା ଭିତରେ ଜନ୍ମ ନେଇଥିବା ଏହି ସୀମିତ ଆଦିବାସୀ ପରିବାର ନିଜର ଧରଣୀ ମାତାକୁ ବିଶ୍ୱାସର ସହ କୋଳେଇ ଆସିଥିଲେ ମଧ୍ୟ ମନ୍ଦିରର ବିକାଶ ହୋଇପାରି ନଥିବା ସେମାନଙ୍କୁ ଅନେକ କଷ୍ଟ ଦେଉଥିବା ପ୍ରକାଶ କରିଛନ୍ତି । ମୁଖିଗୁଡ଼ା ପଞ୍ଚାୟତର ଚାରି ନମ୍ବର ୱାର୍ଡ ପରିସରରେ ଆସୁଥିବା ଏହି ଅଞ୍ଚଳର ୱାର୍ଡ ସଦସ୍ୟା ଦଶାରୀ ମାଝୀ କିନ୍ତୁ ଆଶା ବାନ୍ଧିଛନ୍ତି ଯେମିତି ହେଲେ ଆମ ଅଞ୍ଚଳର ବିକାଶ ହେବ । ପ୍ରତ୍ୟେକ ଘରକୁ ବିଜୁଳି ମିଳିବ, ସାହି ମଧ୍ୟରେ ବହି ଯାଉଥିବା ନଳକୂଅର ନର୍ଦ୍ଦମା ପାଣି ପାଇଁ ଭୂମିଗତ ଡ୍ରେନ ତିଆରି ହେବ, ପିଲାଏ ପାଠ ପଢିବେ, ଶିକ୍ଷିତ ଯୁବକ ଓ ଆଦିବାସୀ ମହିଳା ଦାଦନ ଖଟିବାକୁ ଯିବେ ନାହିଁ । ଆମ ଅଞ୍ଚଳର ବିକାଶ ନିଶ୍ଚୟ ହେବ ।

Leave A Reply

Your email address will not be published.