om academy

ସ୍ୱରଚିତ ଆଧ୍ୟାତ୍ମିକ କବିତା ପାଠ ମହୋତ୍ସବ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ପଂଚାୟତ ନିମବସନ୍ତ ଗ୍ରାମର ନିମାଇଁ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ମଠ ପରିସରରେ ରବିବାର ସ୍ୱରଚିତ ଆଧ୍ୟାତ୍ମିକ କବିତା ପାଠ ମହୋତ୍ସବ, ଆଲୋଚନା ଓ କବି ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଂଚ ତଥା ସାରସ୍ୱତ ସାଧକ ପ୍ରସନ୍ନ ମହାରଥୀ ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ । ମହନ୍ତ ବୃନ୍ଦାବନ ଦାସ ମହାରାଜ ଆଧ୍ୟାତ୍ମିକ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ସାରସ୍ୱତ ସାଧକ ଶିକ୍ଷାବିତ୍‌ ନୀଳାଦ୍ରୀ ନାଥ ଜଗଦେବ, ସନ୍ଥ କୁଳମଣି, ସ୍ଥାନୀୟ ସରପଂଚ ରୀନାରାଣୀ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବି ବିଜୟ କୁମାର ପଟ୍ଟନାୟକ ଓ ରମେଶ ଚନ୍ଦ୍ର ପଳେଇ ସଂଯୋଜନା କରିଥିଲେ । କବି ମାନସ ରଂଜନ ପଟ୍ଟନାୟକଙ୍କ ସଂପାଦନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଗଂଜାମ, ପୁରୀ, ସାକ୍ଷୀଗୋପାଳ, ଖୋର୍ଦ୍ଧା ଅଂଚଳର ସର୍ବଶ୍ରୀ ହିମାଂଶୁ ମହାପାତ୍ର, ରୋହିତ ଚମ୍ପତି, ମହେଶ୍ୱର ବେହେରା, ହୃଷିକେଶ ପାଢୀ, ସଚିକାନ୍ତ ବିଶ୍ୱାଳ, ସୁନନ୍ଦା ମହାନ୍ତି ଓ ଅନ୍ୟ ୭୨ ଜଣ କବି, କବୟିତ୍ରୀ ସ୍ୱରଚିତ ଆଧ୍ୟାତ୍ମିକ କବିତା ଆବୃତି କରିଥିଲେ । କବି ଦାଶରଥୀ ମହାନ୍ତି, ପ୍ରଶବ କିଶୋର ପଟ୍ଟନାୟକ, ପ୍ରସନ୍ନ କୁମାର ପଟ୍ଟନାୟକ ସହଯୋଗ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ କାଳିଚରଣ ପଟ୍ଟନାୟକଙ୍କ ଗଳ୍ପ ସଙ୍କଳନ “ପାଉଁଶ ତଳର ନିଆଁ” ଓ ଫକୀର ଚରଣ ପାଢୀଙ୍କ “ସାହିତ୍ୟ ଜଣା ଅଜଣା” ପୁସ୍ତକ ଅତିଥିଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.