jayashree

ଲୋଇସିଂହା ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି । ତାଲିମ ଆରମ୍ଭରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର କାର୍ଯ୍ୟକ୍ରମ ଉପରେ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ଜଣାଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଏ. ପି. ଉଡୁ ଉପସ୍ଥିତ ରହି ଶିଶୁ ମାନଙ୍କ ପାଇଁ ଥିବା ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ୫% ଯୋଜନା ରଖି ଶିଶୁଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ତାଲିମରେ ଜଣାଇଥିଲେ । ତାଲିମରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ କେ.ସି. ମାନସିଂ ଉପସ୍ଥିତ ରହି ତାଲିମ ନେଇ ଶିକ୍ଷା ଲାଭ କରି କାମରେ ଲଗାଇବା ପାଇଁ ସମସ୍ତ ସରପଞ୍ଚ ଓ ଇଓ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମର ଲକ୍ଷ୍ୟ ଓ ଲକ୍ଷ୍ୟ ଉପରେ ସରପଞ୍ଚ ଓ ଇଓ ମାନଙ୍କର ଭୂମିକା, ଦାୟିତ୍ଵ ଉପରେ ଜଣାଇଥିଲେ ଏବଂ ଆଶିର୍ବାଦ, ଗ୍ରୀନ ପାସେଜ, ପୃଷ୍ଠପୋଷକତା ସହାୟତା ରାଶି, ଯଶୋଦା ଯୋଜନା ସମ୍ପର୍କରେ ଜଣାଇଥିଲେ । ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନ୍ ଟାଏଡ ପାଣ୍ଠିର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠି ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ଉପରେ ଏକ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ପ୍ରଦାନ ପୂର୍ବରୁ ଏବଂ ତାଲିମ ପରବତ୍‌ର୍ତ୍ତୀ ପର୍ଯ୍ୟାୟରେ ୧୦ଟି ପ୍ରଶ୍ନ ପ୍ରସ୍ତୁତି କରି ସମସ୍ତ ସରପଞ୍ଚ ଓ ପିଇଓଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବ୍ଲକର ୧୭ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ଇଓ ଉପସ୍ଥିତ ଥିଲେ । ଏହି ଅବସରରେ ସିଡିପିଓ ରଜନୀ ରାଣୀ ମେହେର ଉପସ୍ଥିତ ରହି ବାଲ୍ୟ ବିବାହ ଉପରେ ସଚେତନତା କାର୍ଯ୍ୟକ୍ରମ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ସୁଦନ ଖମାରି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ କେ.ସି. ମାନସିଂ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମକୁ ଶେଷ କରିଥିଲେ ।

Leave A Reply

Your email address will not be published.