om academy

ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ

jsm

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୧୭ ତାରିଖରୁ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ । ଏଥି ନିମନ୍ତେ ୧୦୧ ଗୋଟି ପ୍ୟାକ୍ସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ । ରବି ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ । ଧାନ କ୍ରୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ୫ ଗୋଟି ନିୟନ୍ତ୍ରିତ ବଜାର କମିଟି ଯଥା ଡୁଙ୍ଗୁରିପାଲି -୪, ଓ ବୀରମହାରାଜପୁର -୧ ଅଧୀନରେ ଧାନ କ୍ରୟ ନିମନ୍ତେ ମଣ୍ଡି ଖୋଲିବ । ଗତ ବର୍ଷ ୮୭ ଗୋଟି ମଣ୍ଡି ଖୋଲାଯାଇଥିବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୧୦୧ ଗୋଟି ମଣ୍ଡିରେ ଧାନ କିଣାଯିବ । ମଣ୍ଡିଗୁଡିକ ରବିବାର ବ୍ୟତୀତ ସପ୍ତାହକ ୬ ଦିନ ଖୋଲା ରହିବା ସହିତ ସକାଳ ୭ଘଣ୍ଟା ରୁ ଅପରାହ୍ନ ୧ ଘଣ୍ଟା ପର୍ୟ୍ୟନ୍ତ ଧାନ କିଣାଯିବ । ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୩୦୦୨୨ ଜଣ ଚାଷୀ ପଂଜିକୃତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ମଣ୍ଡିଗୁଡିକରେ କୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ରବି ଧାନ ବିକ୍ରୟକୁ ସହଜ ଓ ସୁବିଧାରେ କରିପାରିବେ ସେଥିପାଇଁ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ସଚେତନ କରାଇବା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ପୁନଶ୍ଚ କରୋନାର ଦ୍ଵିତୀୟ ଲହର ଚାଲୁଥିବା ବେଳେ ପ୍ରତ୍ୟେକ ମଣ୍ଡି ପରିସରରେ ସରକାରଙ୍କ ଦ୍ୱାରା ନିର୍ଦେଶିତ କୋଭିଡ ଗାଇଡଲାଇନର ଅନୁପାଳନକୁ ଶତପ୍ରତିଶତ ପାଳନ କରିବାକୁ ସମ୍ପୃକ୍ତ ବିଭାଗକୁ ବୈଠକରେ ପରାମର୍ଶ ଦିଆଯାଇଛି । ଉପସ୍ଥିତ ଚାଷୀ ପ୍ରତିନିଧି ଓ ମିଲର୍ସଙ୍କ ତରଫରୁ ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ଓ ଚଳିତ ବର୍ଷ ତ୍ରୁଟି ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବା ସହ ଚଳିତ ବର୍ଷ ରବିଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ସୂଚନା ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ ଜିଲ୍ଳା ସ୍ତରୀୟ କ୍ରୟ କମିଟି ବୈଠକରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ନିରଞ୍ଜନ ପୂଜାରୀ ଯୋଗଦାନ କରି ଜିଲ୍ଲାରେ ଚାଷ ଓ ଚାଷୀର ଗୁରୁତ୍ୱାରୋପ କରିବା ସହ ଜିଲ୍ଲାରେ ରବିଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସୁଚାରୁରୂପେ ପରିଚାଳନା କରିବା ଉପରେ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା ଦେବୀ ଯୋଗଦାନ କରି ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ରବିଧାନ କ୍ରୟ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଡିଆରଡିଏ, ଉପଜିଲ୍ଲାପାଳ ସୋନପୁର ଓ ବୀରମହାରାଜପୁର, ମୁଖ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ, ଜିଲ୍ଳା ଯୋଗାଣ ଅଧିକାରୀ, ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଳା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ବୈଠକରେ ବିଷ୍ଣୁ ପ୍ରସାଦ ସୂପକାର ମୁଖ୍ୟ ଯୋଗାଣ ଅଧିକାରୀ ସ୍ୱାଗତ କରିବା ସହ ଅଧ୍ୟକ୍ଷା‌ଙ୍କ ଅନୁମତିରେ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ମିଲ୍‌ ମାଲିକ ମହାଜନ ସାହୁଙ୍କ ବିୟୋଗରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.