ବିଧି ରକ୍ଷା ପାଇଁ ହେଲା ଜରାସିଂହା ପାଟଖଣ୍ଡା ଯାତ୍ରା : ମଧ୍ୟରାତ୍ର ପରେ ଦେବୀଙ୍କ ଦେଝାରକୁ ବିଦାୟ ସମ୍ବର୍ଦ୍ଧନା ପରେ ଯାତ୍ରା ସମ୍ପନ୍ନ, ପ୍ରଶାସନର କଡା ତଦାରଖରେ ଶାନ୍ତି ଶୃଙ୍ଖଳା ସହ ହେଲା ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ): ଶହ ଶହ ବର୍ଷ ଧରି ଲୋକଙ୍କ ଗହଳୀରେ ଆଧ୍ୟତ୍ମିକ ଭାବାବେଗରେ ହୋଇ ଆସୁଥିବା ପାଟଖଣ୍ଡା ଯାତ୍ରା ସୋମବାର ଦିନ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଆରମ୍ଭ ହୋଇଥିଲା । ସୋମବାର ଅପରାହ୍ନରେ ଗୁଡ଼ଭେଲା ବ୍ଳକ ନଅଗାଁ ମୌଜାରେ ଥିବା ଦେଝାରରୁ ପାଟଖଣ୍ଡା ଦେବୀ ବରୁଆ ଦେହରେ ଅବିର୍ଭାବ ହୋଇ ସାଲେପାଲି ସୋନଗଡ଼ ନଦୀ କୂଳରେ ଥିବା ଉଚ୍ଚବାହାଲି ଯାତ୍ରା ପଡ଼ିଆରେ ପହଞ୍ଚିଥିଲେ । ପାରଂପାରିକ ରୀତିନୀତି ଅନୁସାରେ ଉଚ୍ଚବାହାଲି ପୂଜା ଶେଷ ହେବା ପରେ ସାଲେପାଲି ଛକରେ ଥିବା ବଉରାପିଟାରେ ଦେବୀଙ୍କୁ ବିଶ୍ରାମ ଦିଆଯାଇଥିଲା । ପରମ୍ପରା ଅନୁସାରେ ୫ଦିନ ଧରି ହେଉଥିବା ଏହି ଯାତ୍ରାକୁ ଦୁଇ ଦିନ ମଧ୍ୟରେ ସମାପ୍ତ କରିବାକୁ ପ୍ରଶାସନ ଅନୁମତି ଦେଇଥିବାରୁ ସୋମବାର ରାତିରେ ହିଁ ବଉରାପିଟା, ଲିଙ୍ଗାବରଣ, ନିଶିଗୁଡ଼ି ପୂଜା ଅନୁଷ୍ଠିତ ହୋଇଯାଇଥିଲା । ମଙ୍ଗଳବାର ମଧ୍ୟ ରାତ୍ରି ପରେ ଦେବୀଙ୍କ ଦେଝାର ଗମନ ହୋଇଥିଲା ।

ପ୍ରକାଶ ଯେ, ପ୍ରଶାସନର କଡ଼ା ପହରା ମଧ୍ୟରେ ପରଂପରା ଓ ବିଧି ରକ୍ଷା ପାଇଁ ଜନଶୂନ୍ୟରେ ଯାତ୍ରା ପାଳିତ ହୋଇଥିବା ଜଣାପଡ଼ିଛି । ଏହି ଯାତ୍ରାରେ କୋଭିଡ଼ ନିୟମ ଉଲଂଘନ ନହେବା ପାଇଁ ପୂର୍ବରୁ ଲୋକଙ୍କୁ ସଚେତନ କରାଯାଇଥିଲା । ମାଜିଷ୍ଟ୍ରେଟ ଭାବେ ଦେଓଗାଁ ତହସିଲଦାର ନାରାୟଣ ସାହୁ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଭକ୍ତଙ୍କୁ ପୂଜାସ୍ଥଳୀକୁ ବାରଣ କରିବା ପାଇଁ ଦେଓଗାଁ ଥାନା ଓଆଇସି ରଞ୍ଜନ ବରିହାଙ୍କ ସମ୍ପୂର୍ଣ୍ଣ ତଦାରଖରେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ଯାତ୍ରା ପଡ଼ିଆକୁ ଜଗି ରହିଥିଲେ ।

Leave A Reply

Your email address will not be published.