ଜାତୀୟ ଶକ୍ତି ସଂରକ୍ଷଣ : ରାଜ୍ୟସ୍ତରୀୟ ମଡେଲ ପ୍ରଦର୍ଶନୀରେ ଡୁଡୁକା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ଵପ୍ନେନ୍ଦୁ ପାଢ଼ୀ

ସାଲେଭଟା, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ମଡେଲ ପ୍ରଦର୍ଶନୀରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ଡୁଡୁକା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ଵପ୍ନେନ୍ଦୁ ପାଢ଼ୀ ଯୋଗଦାନ କରି ପ୍ରସଂଶିତ ହୋଇଛନ୍ତି । ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ଚଳିତ ଡିମେମ୍ବର ମାସ ତା-୧୪ରୁ ୨୦ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଶକ୍ତି ବିଭାଗର ମିଳିତ ପ୍ରୟାସରେ ଲୋକସେବା ଭବନ ଭୁବନେଶ୍ଵର ପରିସରରେ ରାଜ୍ୟସ୍ତରୀୟ ମଡେଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଓଡିଶାର ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ କୁନି ବୈଜ୍ଞାନିକ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥି ପାଇଁ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ଡୁଡୁକା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ଵପ୍ନେନ୍ଦୁ ପାଢ଼ୀ ଶକ୍ତି କୁଶଳ ସ୍କାର୍ଟ ଗୃହ ମଡେଲ ପ୍ରଦର୍ଶନ କରିଥିଲେ । ଶକ୍ତିସଂଚାର ନିୟମାବଳୀ ନିର୍ଦ୍ଦେଶନାମା ଅନୁସରଣ କରି ଆଦର୍ଶ ଗୃହର ମଡେଲ ପ୍ରସ୍ତୁତି ନିମନ୍ତେ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ଧଳ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଶକ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ.ସୁରେଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଶକ୍ତି ମନ୍ତ୍ରୀ ପ୍ରତାପ କୁମାର ଦେବ, ସିଇଏସ୍‌ ଡକ୍ଟର ମୁର୍ଗାସେନ ତଥା ବିଦ୍ୟୁତ୍ ବିଭାଗର ପ୍ରମୁଖ ପଦାଧିକାରୀ ପ୍ୟାରୀମୋହନ ମିଶ୍ର, ସୌରଜିତ ରାୟ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ, ପ୍ରୋଜେକ୍ଟ ଅଫିସର ପ୍ରଶାନ୍ତ କୁମାର ନାୟକ ତଥା ଅନ୍ୟତମ ନିଷ୍ଠାପର କର୍ମଚାରୀ ଭରତ ଜେନାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ସମଗ୍ର କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇପାରିଥିଲା । ଚଳିତ ଶିକ୍ଷାବର୍ଷ ୨୦୨୩ରେ ବଲାଙ୍ଗିର ଜିଲ୍ଲା ଡୁଡୁକା ଆଦର୍ଶ ବିଦ୍ୟାଳୟର ଜଣେ ଛାତ୍ର ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଭାଗ ନେଇ ଗୌରବ ଅର୍ଜନ କରିଛନ୍ତି । ଏପରିକି ଏଥିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ସେ ସର୍ବ କନିଷ୍ଠ ରହିଥିଲେ । ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶ୍ରୀ ପାଢ଼ୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

1 × two =