ପ୍ରାଣୀଧନର ସୁରକ୍ଷା, ସେମାନଙ୍କର ଲାଳନ ପାଳନରେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଣୀଧନର ସୁରକ୍ଷା ତଥା ସେମାନଙ୍କର ଲାଳନ ପାଳନରେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ ବୋଲି ବିଶିଷ୍ଟ ସଚେତନଶୀଳ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଜୀବେ ନିଷ୍ଠୁରତା ନିରୋଧ ଆଇନ କର୍ମଶାଳା । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଡିଆର୍‌ଡିଏ ଜଉଗଡ ସମ୍ମିଳନୀ କକ୍ଷଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଣୀ ସମ୍ପଦ ବିଭାଗ ତରଫରୁ ଜୀବେ ନିଷ୍ଠୁରତା ନିରୋଧ ଆଇନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମଣିଷ ଭଳି ପଶୁ ସମ୍ପଦର ମଧ୍ୟ ବଞ୍ଚିବାର ଅଧିକାର ରହିଛି । ପଶୁ ସମ୍ପଦର ସୁରକ୍ଷା ହୋଇପାରିଲେ, ଜୀବଜଗତ ସନ୍ତୁଳନ ଓ ସୁରକ୍ଷିତ ହୋଇ ରହିପାରିବେ ବୋଲି ସଭାରେ ସଚେତନତାର ବାର୍ତ୍ତା ଦେଇଛନ୍ତି । ବିଶେଷ କରି ପଶୁସମ୍ପଦର ସୁରକ୍ଷା ସମସ୍ତ ମଣିଷ ସମାଜର କର୍ତ୍ତବ୍ୟ, ଗ୍ରୀଷ୍ମପ୍ରବାହ ସମୟରେ ପଶୁ, ପକ୍ଷୀଙ୍କୁ ଖାଦ୍ୟ, ପାନୀୟଜଳ ଯୋଗାଣ ସହିତ ସେମାନଙ୍କର ଆବଶ୍ୟକତା ଅନୁସାରେ ଯତ୍ନ ନେବା ଅପରିହାର୍ଯ୍ୟ ବୋଲି ଉକ୍ତ କର୍ମଶାଳାରେ କୁହାଯାଇଛି । ଗୃହପାଳିତ ପଶୁ ଯଥା ଗାଈ ଗୋରୁଙ୍କୁ ଗୁହାଳଘର ବ୍ୟବସ୍ଥା ନକରି ଘଣ୍ଟା ଘଣ୍ଟା ଧରି ଖରାରେ, ବର୍ଷାରେ ବାନ୍ଧିରଖିବା, ଖାଇବା ପିଇବାକୁ ସମୟ ଅନୁସାରେ ନ ଦେବା, ପୋଷା କୁକୁରକୁ ଘର ଭିତରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିବା ଭଳି ଅନୁରୂପ ଘରେ ପଶୁମାନଙ୍କୁ ନିର୍ଯ୍ୟାତନା ଦେବା ଏକ ଦଣ୍ଡନୀୟ ଅପରାଧ ବୋଲି ବ୍ରହ୍ମପୁରର ସମାଜସେବୀ ରୋନାଲି ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି । ଜୀବେ ଦୟାର ମହତ୍ତ୍ଵ ଉପରେ ସେ ପ୍ରତିପାଦନ କରିଥିଲେ । ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଏହାର ପ୍ରତିକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ । ମଣିଷ ଭଳି ପଶୁ ସମ୍ପଦର ବଞ୍ଚିବାର ଅଧିକାର ରହିଛି । ସର୍ବୋପରି ଗୃହପାଳିତ ପଶୁପକ୍ଷୀ ଓ ବନ୍ୟପ୍ରାଣୀ, ବୁଲା କୁକୁର, ମାଙ୍କଡ଼ ଗାଈଗୋରୁଙ୍କର ବି ବଞ୍ଚିବାର ଅଧିକାର ରହିଛି ବୋଲି ମତପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ବିକାଶର ପ୍ରୟୋଗଶାଳା ଅଟେ । ବିଶେଷ କରି ପଶୁସମ୍ପଦର ସୁରକ୍ଷା ସମସ୍ତ ମଣିଷ ସମାଜର କର୍ତ୍ତବ୍ୟ, ଗ୍ରୀଷ୍ମପ୍ରବାହ ସମୟରେ ପଶୁ, ପକ୍ଷୀଙ୍କୁ ଖାଦ୍ୟ, ପାନୀୟ ଜଳ, ଯୋଗାଣ ସହିତ ସେମାନଙ୍କର ଆବଶ୍ୟକତା ଅନୁସାରେ ଯତ୍ନ ନେବା ଅପରିହାର୍ଯ୍ୟ । ପ୍ରାଣୀ ଚିକିତ୍ସାଳୟ ଉପନିର୍ଦ୍ଦେଶକ ଶୁଭକାନ୍ତ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ କର୍ମଶାଳାଟିରେ ବକ୍ତାଗଣ ଅବଗତ କରାଇଥିଲେ ଯେ, ପଶୁସମ୍ପଦ ସୁରକ୍ଷା କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଉଲ୍ଲେଖନୀୟ ଭୂମିକା ରହିଛି । ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବର ମିଳିବାପରେ ପଶୁ ସମ୍ପଦ ସୁରକ୍ଷାକାରୀମାନଙ୍କ ଦ୍ୱାରା ତୁରନ୍ତ ପଦକ୍ଷେପ ଗ୍ରହଣ ହୋଇପାରୁଛି, ଯାହାରି ଫଳରେ ପଶୁପକ୍ଷୀ ବିପତ୍ତି ହେଉ ଅବା ମୃତ୍ୟୁବରଣରୁ ବଞ୍ଚିତ ହେଉଛନ୍ତି । ପଶୁ ସମ୍ପଦର ସୁରକ୍ଷା କ୍ଷେତ୍ରରେ ପ୍ରଚଳିତ ଆଇନ ୬୩ ବର୍ଷ ପୂର୍ବେ ପ୍ରସ୍ତୁତ ହୋଇଥିଲା । ଏହାର ସଂଶୋଧନ ସକାଶେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ଆଇନଜୀବୀ ମତ ପ୍ରକାଶ କରିଥିଲେ । ପଶୁ ସମ୍ପଦର ବିନାଶକାରୀ ମାନଙ୍କ ବିରୁଦ୍ଧରେ ରହିଥିବା ଦଣ୍ଡବିଧାନ ଆଇନର ପରିଧି ସମ୍ପର୍କରେ ଜଣାଇଥିଲେ । ଭାରତୀୟ ସମ୍ବିଧାନ ଅଧିନିୟମ ୪୮ (କ) ପ୍ରକାରେ ବନ୍ୟଜନ୍ତୁ ସୁରକ୍ଷା ନିମିତ୍ତ ବିଶଦ ବିଷୟରେ ଆଲୋଚନା ହୋଇଥିଲା । ସରକାରୀସ୍ତରରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସକାଶେ ଗଞ୍ଜାମ ଜିଲ୍ଲା ବିକାଶର ପ୍ରୟୋଗଶାଳା ଏଣୁ ଏହି ଜିଲ୍ଲାରୁ ହିଁ ପଶୁ ସମ୍ପଦର ସୁରକ୍ଷା ଦିଗରେ ବିଶେଷ ପଦକ୍ଷେପ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଜରୁରୀ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ । ଜିଲ୍ଲାରେ ରହିଥିବା କୃଷ୍ଣସାର ମୃଗ, ମୟୁର, କଇଁଚ ବାଲିହରିଣ ପରି ଅନେକ ବିରଳ ପ୍ରଜାତିର ପଶୁ ସମ୍ପଦର ସୁରକ୍ଷା ଦିଗରେ ଏବଂ ଜିଲ୍ଲାର ସହରାଞ୍ଚଳରେ ରହୁଥିବା ପଶୁପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । କର୍ମଶାଳାରେ ରାଜ୍ୟ ପଶୁମଙ୍ଗଳ ପରିଷଦର ଉପନିର୍ଦ୍ଦେଶକ ଡ଼ା.କୃଷ୍ଣଚନ୍ଦ୍ର ସାମନ୍ତରାୟ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ମନୋଜ କୁମାର ସାହୁ , ଡ଼ା.ବିଶ୍ୱନାଥ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ବିଦ୍ୟାଳୟ ଗଣଶିକ୍ଷକ, ସରପଞ୍ଚ, ସ୍ବେଚ୍ଛାସେବୀ ସେବକ, ଗୋପାଳ କର୍ମକର୍ତ୍ତା ପ୍ରମୁଖ ଜୀବେ ନିଷ୍ଠୁରତା ନିରୋଧ ଆଇନ ଜିଲ୍ଲା କମିଟିର ସଦସ୍ୟମାନେ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

13 + 1 =