jayashree

ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

ରାଉରକେଲା, (ସସ୍ମିତା ପ୍ରଧାନ) : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସରେ ଅଲ୍‌ ଇଣ୍ଡିଆ ସାନ୍ତାଳ ରାଇଟର ଏସୋସିଏସନ ତରଫରୁ ଅଗ୍ରିମ ଶୁଭେଚ୍ଛା ପ୍ରଦାନ ଅବସରରେ ଚିତ୍ରଶିଳ୍ପୀ ରମେଶ ଚନ୍ଦ୍ର ପାତ୍ରଙ୍କ ଅଙ୍କିତ ଚିତ୍ରକଳା ଉପହାର ପ୍ରଦାନ କରିଛନ୍ତି । ଏହି ଚିତ୍ରକଳାରେ ଶ୍ରୀ ପାତ୍ର କାନଭାସର ମଧ୍ୟସ୍ଥଳରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିଛବି ସହ ୧୯୨୫ ମସିହାରେ ଉଦ୍ଭାବନ କରିଥିବା ସାନ୍ତାଳୀ ବର୍ଣ୍ଣମାଳା (ଅଳଚିକି)କୁ ବାମ, ଦକ୍ଷିଣ ଓ ତଳ ପାର୍ଶ୍ୱରେ ଆଙ୍କିଛନ୍ତି । ପଣ୍ଡିତ ମୁର୍ମୁଙ୍କ ରଚିତ ପୁସ୍ତକ ବିଦୁଚନ୍ଦନ, ଖେରୱାଳ ବୀର, ଦାଳେ ଗେ ଧନ, ସିଦୁ କାନହୁ ସାନ୍ତାଳ ହୁଲ, ଞ୍ଜେଲ ଜଂଗ ଲାଗିଦ ଅଲ, ଅଲ ଚେମେଦ ପ୍ରଭୃତି ପୁସ୍ତକର ନାମ ଉଲ୍ଲେଖ କରିଛନ୍ତି । ପଣ୍ଡିତ ମୁର୍ମୁ ୧୯୬୪ ମସିହାରେ ଆସେକା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଆସେକାର କିଛି ସଦସ୍ୟଙ୍କ ସହ ଓଡିଶା, ବିହାର, ପଶ୍ଚିମବଙ୍ଗରେ ଭ୍ରମଣ କରି ସଭା କରି ଜନସାଧାରଣଙ୍କୁ ଲିପିର ଆବଶ୍ୟକ ତାକୁ ଅଙ୍କନ, ଭାଷଣ ଓ ଗୀତ ମାଧ୍ୟମରେ ବୁଝାଇ ଥିଲେ । ସଭାମାନଙ୍କରେ ଗାନ କରାଯାଇଥିବା ଗୀତ (ଲାକଚର ସେରେଞ୍ଜ)କୁ ମଧ୍ୟ କ୍ୟାନଭାସର ଉପରଭାଗରେ ଅଲଚିକି ଲିପିରେ ସ୍ଥାନ ଦିଆଯାଇଛି । ଏହି ଚିତ୍ରକଳା ମାଧ୍ୟମରେ ପଣ୍ଡିତ ମୁର୍ମୁଙ୍କ ବିଷୟରେ ବହୁତଥ୍ୟ ଜାଣିହେବ । ଜନ୍ମଦିନର ଅଗ୍ରୀମ ଶୁଭେଚ୍ଛା ଜଣାଇବା ପାଇଁ ଅଲ ଇଣ୍ଡିଆ ସାନ୍ତାଳ ରାଇଟର ଆସୋସିଏସନର ସମ୍ପାଦକ ଅର୍ଜୁନ ମାର୍ଣ୍ଡି,ସଭାପତି ସରୋଜ କୁମାର ସୋରେନ, କୋଷାଧକ୍ଷ ହାଜାମ ବାସ୍କେ, ଦ୍ଵିଜପଦ ହାଁସଦା, ପଦ୍ମଶ୍ରୀ ଦମୟନ୍ତୀ ବେସରା, ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ଫୁଲମଣୀ ହେମ୍ବ୍ରମ ଓ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ଅଗ୍ରୀମ ଶୁଭେଚ୍ଛା ପ୍ରଦାନ କରିଥିଲେ । ରାଉରକେଲାର ସାନ୍ତାଳୀ କବି, ଲେଖକ, ଅନୁବାଦକ ଓ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ୯ ଜୁଲାଇ ୧୯୫୮ ମସିହାରେ ମୟୁରଭଞ୍ଜ ଜିଲ୍ଲାର ବାହାଲଦାରୋଡ଼ ନିକଟସ୍ଥ ହେଁସଡା (ତାରଣା) ଗ୍ରାମରେ ଜନ୍ମିଥିଲେ । ୧୯୭୮ ମସିହାରୁ ସାନ୍ତାଳୀ ଭାଷାରେ ଲେଖିବାକୁ ଆରମ୍ଭ କରିଥିଲେ । ୨୦୦୬ ମସିହାରେ ଦୈନିକ ସମ୍ବାଦ ଖବରକାଗଜ ରେ ” ସମ୍ବାଦ ତାରାସ” ଅଲଚିକିରେ ସମ୍ପାଦନ କରି ଇତିହାସ ସୃଷ୍ଟି କରିଥିଲେ । ନିଜସ୍ୱ ସମ୍ପାଦନାରେ ଅଲଚିକି ଲିପିରେ “‘ସାରଥି” ସାହିତ୍ୟ ପତ୍ରିକା ପ୍ରକାଶ କରୁଛନ୍ତି । ରାଞ୍ଚିରୁ ପ୍ରକାଶିତ “ଆଖଳା” ପତ୍ରିକାରେ ସାନ୍ତାଳୀ ବିଭାଗର ସମ୍ପାଦନା କରିଛନ୍ତି । ତାଙ୍କର ପ୍ରଥମ ପୁସ୍ତକ “ଅଲଚିକିର ଜନ୍ମଦାତା” (ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ) ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ ୨୦୦୫ ମସିହାରେ ପ୍ରକାଶିତ ହୋଇଛି । ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପ୍ରଥମ ସାନ୍ତାଳୀ ପୁସ୍ତକ ଯଦୁମଣି ବେଶ୍ରାଙ୍କର “ଭାବନା”ର ଓଡ଼ିଆ ଅନୁବାଦ ୨୦୨୧ ମସିହାରେ ଏବଂ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଗୌରହରି ଦାସଙ୍କ ନିଜ ସଂଗେ ନିଜର ଲଢେଇର ସାନ୍ତାଳୀ ଅନୁବାଦ ୨୦୨୩ରେ ପ୍ରକାଶିତ । ଏବର୍ଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାନ୍ତାଳୀ ନାଟକ ବିଦୂଚାନ୍ଦାନ ସାହିତ୍ୟ ଏକାଡେମୀ ଦ୍ୱାରା ଓଡ଼ିଆରେ ପ୍ରକାଶ ପାଇବ । ଶ୍ରୀ ପାତ୍ର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଲିଖିତ ଚାରିଟି ନାଟକ ଓ ଦୁଇଟି କାବ୍ୟକୁ ସାନ୍ତାଳୀରୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଦେଢଶହରୁ ଉର୍ଦ୍ଧ୍ୱ ସାନ୍ତାଳୀ କବିତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ବହୁ ଓଡ଼ିଆ କବିତା ଓ ଗଳ୍ପକୁ ସାନ୍ତାଳୀ ଭାଷାରେ ଅନୁବାଦ କରିଛନ୍ତି । ତାଙ୍କର ବହୁତ ଓଡ଼ିଆ ଓ ସାନ୍ତାଳୀ ମୌଳିକ ରଚନା ଏବଂ ଅନୁବାଦ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଓ ପ୍ରକାଶିତ ହେଉଛି । ସୂଚନାଯୋଗ୍ୟ ଯେ, ମହାନ ଚିତ୍ରାଶିଳ୍ପୀ ଜସପାଲ ସିଂଙ୍କ ନିକଟରୁ ୧୯୭୯ ମସିହାରେ ଚିତ୍ରକଳା ଶିକ୍ଷା ଗ୍ରହଣ କରି ୧୯୯୦ ମସିହାରେ କଲକାତାର ଏକାଡେମୀ ଅଫ ଫାଇନ ଆର୍ଟସରେ ପ୍ରଥମ ଏକକ କଳା ପ୍ରଦର୍ଶନୀ, ୧୯୯୧ ମସିହାରେ ରାଉରକେଲା ସାରନଗରୀରେ ଦ୍ଵିତୀୟ ଓ ୨୦୦୪ ମସିହାରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ତୃତୀୟ ଏକକ ପ୍ରଦର୍ଶନୀ ସହ ବିଭିନ୍ନ କଳା ପ୍ରଦର୍ଶନୀ ଓ ଶିଳ୍ପୀ ଶିବିରରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି । ସାହିତ୍ୟ ଓ ଚିତ୍ରକଳା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି । ରାଉରକେଲା ଆର୍ଟ ସୋସାଇଟିର ସଭାପତି, ଜସପାଲ ସ୍ମୃତି ଚିତ୍ରାଳୟର ଅଧ୍ୟକ୍ଷ ଦାୟିତ୍ୱ ସହ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଅଛନ୍ତି ।

Leave A Reply

Your email address will not be published.