pakka

ସିନାପାଲିରେ ଜଳସେଚନ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲା ବିଜେଡ଼ି

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଜଳସେଚନ ସୁବିଧା ପାଇଁ ବିଜେଡ଼ି ପକ୍ଷରୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ନୂଆପଡ଼ା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ଶେଷ ସୀମାରେ ସିନାପାଲି ବ୍ଲକ ଅବସ୍ଥିତ । ଏଠାରେ ଆବଶ୍ୟକ ଅନୁଯାୟୀ ଜଳସେଚନର ସୁବିଧା ନାହିଁ । କେବଳ ବର୍ଷା ଜଳ ଉପରେ ନିର୍ଭରଶୀଳ ହୋଇଥାନ୍ତି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପ୍ରତି ବର୍ଷ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହେଉଥାଏ । ବାରମ୍ବାର ମରୁଡି ଯୋଗୁଁ ଅଞ୍ଚଳର ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଯାହା ଫଳରେ ଅଞ୍ଚଳର ଚାଷୀ, ମୂଲିଆ, ଖଟିଖିଆ ବର୍ଷର ଅନେକାଂଶ ସମୟରେ ପରିବାର ପ୍ରତିପୋଷଣ କରିବା ଉଦ୍ଦଶ୍ୟରେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଚାଲାଣ ହୋଇଥାନ୍ତି । ଏପରିକି ଅଞ୍ଚଳରେ ମରୁଡ଼ି ସମସ୍ୟା ଯୋଗୁଁ ଅନାହାର ମୃତ୍ୟୁ, ପଥର ଖିଆ ଘଟଣା ସାଙ୍ଗକୁ ଛୁଆ ବିକ୍ରୀ ଭଳି ଅନେକ ସଙ୍ଗୀନ ଅଭିଯୋଗ ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏଭଳି ଏକ ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳରେ ଜଳସେଚନର ସୁବିଧା ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ଦାବୀରେ ଉଲ୍ଲେଖ ରହିଛି । ସେହିପରି ଆଖିଦୃଶିଆ କୌଣସି ଜଳସେଚନ ପ୍ରକଳ୍ପ ନଥିବା ବେଳେ ସିନାପାଲି ବ୍ଲକ ଠାରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଉଦନ୍ତୀ ବ୍ୟାରେଜ ନିର୍ମାଣ କାର୍ଯ୍ୟ ସରକାରଙ୍କ ନାଲିଫିତା ତଳେ ରହିଯାଇଛି । ଏଥି ପ୍ରତି ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ ସରିବାର ୨ ବର୍ଷ ପରେ ମଧ୍ୟ କାମ ଆରମ୍ଭ କରାଯାଇନାହିଁ ବୋଲି ଦାବୀ ପତ୍ରରେ ଦର୍ଶାଯାଇଥିବା ବେଳେ ସିନାପାଲି ବ୍ଲକକୁ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳ ଅମଳ ପ୍ରକଳ୍ପର ବାମ କେନାଲକୁ ସମ୍ପ୍ରସାରଣ କରି ସିନାପାଲିର ତାଲାକୋଟ ପର୍ଯ୍ୟନ୍ତ ନିଆଗଲେ ଅଞ୍ଚଳର ଜନସାଧାରଣ ସବୁଜ କ୍ରାନ୍ତିର ବିପ୍ଳବ ସୃଷ୍ଟି କରିପାରିବେ ବୋଲି ପ୍ରକାଶ କରିଛନ୍ତି ବିଜେଡିର ପ୍ରତିନିଧି ଦଳ। ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଦାଶଙ୍କ ସହିତ ଆଲୋଚନା କରି ଏହାର ସମାଧାନ ଦିଗରେ ଆନ୍ତରିକତା ଦେଖାଇ ଶୀଘ୍ର ପଦକ୍ଷେପ ନେବାକୁ ଦାବୀ ଜଣାଇ ନିବେଦନ କରିଛନ୍ତି ପ୍ରତିନିଧି ଦଳ । ଦାବୀ ପତ୍ର ପ୍ରଦାନ ସମୟରେ ନୂଆପଡ଼ା ଜିଲ୍ଲା ବିଜେଡ଼ି ସଭାପତି ମନୋଜ ମିଶ୍ର, ସିନାପାଲି ବ୍ଲକ ବିଜେଡ଼ି ସଭାପତି ବିରେନ୍ଦ୍ର ଖମାରୀ, ସମ୍ପାଦକ ଦୈତାରୀ ମେହେର, ଉଦନ୍ତୀ ୟୁଥ୍ କ୍ଲବର ସଭାପତି ସୁରଜ ମେହେର, ଗରୁଡ଼ଧ୍ୱଜ ବେହେରା, ଗୋପୀନାଥ ବେହେରା, ପ୍ରମୁଖ ସାମିଲ ରହିଥିଲେ ।

jay balangir
Leave A Reply

Your email address will not be published.

five × 3 =