
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୁଲିସ ଜିଲ୍ଲାରେ ମାଓ ଦମନ ଅଭିଯାନରେ ପୁଣି ବଡ଼ ସଫଳତା ମିଳିଛି । କେ. ବଲାଙ୍ଗ ଥାନା ଅନ୍ତର୍ଗତ ସିଲକୁଟା ରିଜର୍ଭ ଫରେଷ୍ଟରୁ ଏକ ଗୁପ୍ତ ମାଓ ଡମ୍ପକୁ ପୁଲିସ ଠାବ କରିଛି । ପୁଲିସ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଗତ ୨୩ ତାରିଖରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଆଧାରରେ DVF ଏବଂ BDDSର ମିଳିତ ଦଳ ଜଙ୍ଗଲରେ ସର୍ଚ୍ଚ ଓ ଏରିଆ ଡୋମିନେସନ ଅଭିଯାନ କରିଥିଲେ । ଏହି ସମୟରେ ଗୁପ୍ତ ଭାବେ ଲୁଚାଇ ରଖାଯାଇଥିବା ଡମ୍ପ ଠାବ ହୋଇଥିଲା । ଜବତ ସାମଗ୍ରୀ : ଡମ୍ପରୁ ୧ଟି ୯mm କାର୍ବାଇନ ୧A୧ (ରେଜିଃ ନଂ – W2G ୧୮୯- ୧୬୧୮୯୫୮, ବର୍ଷ-୧୯୯୭), ୧ଟି IED କଣ୍ଟେନର, ୧୫ଟି ଡିଟୋନେଟର, ୨ଟି ମାଗାଜିନ, ୬ଟି ମୋଟୋରୋଲା ୱାକି-ଟକି, ୨୦ ରାଉଣ୍ଡ ୯MM ଗୁଳି, ୧ଟି ଡିଜିଟାଲ ମଲ୍ଟିମିଟର, ୱାକି-ଟକି ଚାର୍ଜର, ଫ୍ରିକ୍ୱେନ୍ସି ଚାର୍ଟ ଏବଂ ମାଓ ସାହିତ୍ୟ ଜବତ କରାଯାଇଛି। ସମସ୍ତ ସାମଗ୍ରୀକୁ ନିୟମ ଅନୁଯାୟୀ ଜବତ କରାଯାଇଛି । ମାଓ ନେଟୱାର୍କକୁ ଭାଙ୍ଗିବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଯୋଗାଣରୁ ବଞ୍ଚିତ କରିବା ପାଇଁ ଏହା ଏକ ବଡ଼ ସଫଳତା ବୋଲି ପୁଲିସ କହିଛି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୩୧.୦୩.୨୦୨୬ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି । ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିବ ।