କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସକାଶେ ଆୟୁର୍ବେଦିକ ଇମ୍ୟୁନିଟି ବୁଷ୍ଟର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସକାଶେ ବଲାଙ୍ଗିର ଜିଲ୍ଲାରେ ଆୟୁର୍ବେଦିକ ଇମ୍ୟୁନିଟି ବୁଷ୍ଟର ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି । ତଦନୁସାରେ ଭାରତୀୟ ରେଡ଼୍‌କ୍ରସ ସୋସାଇଟି, ବଲାଙ୍ଗିର ଜିଲ୍ଲା ଶାଖା ସହାୟତାରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ତରଫରୁ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଏହି ରୋଗ ପ୍ରତିରୋଧକ ଔଷଧ ସମୂହ ପ୍ରସ୍ତୁତ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦୦ ଔଷଧୀ କିଟ୍‌ ପ୍ରସ୍ତୁତ କରାଯାଇଛି । ଏହି କିଟ୍‌ରେ ଆୟୁଷ କାଢ଼ା, ଅଶ୍ୱଗନ୍ଧା ଚୂର୍ଣ୍ଣ, ଗୁଡ଼ୁଚି ଚୂର୍ଣ୍ଣ, ଅଁଳା ଚୂର୍ଣ୍ଣ, ଚବନପ୍ରାସ ଏବଂ ଜଷ୍ଟି ମଧୁ ଚୂର୍ଣ୍ଣ ରହିଛି । ଏହାର ସେବନ ବିଧି ଔଷଧ କିଟ୍‌ ସହ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ କିଟ୍‌ ସହ ଯୋଗାଇ ଦିଆଯାଉଛି ।

ଆଜି ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବଲାଙ୍ଗିର ତରଫରୁ ପ୍ରସ୍ତୁତ ୧୦୦୦ ଔଷଧ କିଟ୍‌ ମହାବିଦ୍ୟାଳୟ ପରିସରରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଅରୁଣ କୁମାର ଦାସ ପ୍ରଦାନ କରିଛନ୍ତି । ଏହି ଔଷଧୀ କିଟ୍‌ ଆଜିଠାରୁ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ ଦେବା ସକାଶେ ବଲାଙ୍ଗିର କୋଭିଡ଼୍‌ ହସ୍‌ପିଟାଲ, କୋଭିଡ କେୟାର ସେଂଟର ବଲାଙ୍ଗିର, କୋଭିଡ କେୟାର ସେଂଟର, ଟିଟିଲାଗଡ଼ ଏବଂ ଜିଲ୍ଲାରେ ଥିବା ବିଭିନ୍ନ ପିଏଚ୍‌ସି / ସିଏଚ୍‌ସି ଜରିଆରେ ଗ୍ରାମାଂଚଳ ଏବଂ ସହରାଂଚଳରେ ହୋମ୍‌ ଆଇସୋଲେସନରେ ଥିବା କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ ଇମ୍ୟୁନିଟି ବୁଷ୍ଟର ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ବଲାଙ୍ଗିର ଦ୍ୱାରା ପ୍ରସ୍ତୁତ ଏହି ଇମ୍ୟୁନିଟି ବୁଷ୍ଟର କିଟ୍‌ ପ୍ରସ୍ତୁତିରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ପ୍ରଫେସର ଡାକ୍ତର ପି.କେ.ପଣ୍ଡା, ଡାକ୍ତର ସୀମାଦ୍ରି ଭୂଷଣ ନାୟକ, ଡାକ୍ତର ଜ୍ୟୋତିରଂଜନ ମେହେର ପ୍ରମୁଖ ସହଯୋଗ କରିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହି ଇମ୍ୟୁନିଟି ବୁଷ୍ଟର କିଟ୍‌ ସହାୟକ ହେବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ତେବେ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ।

Leave A Reply

Your email address will not be published.