pakka

ଓଡିଶା ହାଇକୋର୍ଟ ଦ୍ୱାରା ଚଳିତ ବର୍ଷ ୧,୩୬,୫୯୯ଟି ମାମଲାର ଫଇସଲା କରାଯାଇଛି

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଜାନୁୟାରୀ ପହିଲାରୁ ଡିସେମ୍ବର ୨୩ ତାରିଖ ଅବଧି ମଧ୍ୟରେ ମୋଟ ୧,୦୨,୨୪୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୧,୩୬,୫୯୯ଟି ମାମଲା ଫଇସଲା କରାଯାଇଛି, ଫଳରେ କେସ୍‌ କ୍ଲିୟରାନ୍ସ ହାର ୧୩୩.୬୦ ପ୍ରତିଶତ ହୋଇଛି । ବର୍ତ୍ତମାନ ବିଚାର ନ ହୋଇ ପଡିରହିଥିବା ମାମଲା ଯଥେଷ୍ଟ ହ୍ରାସ ପାଇଛି । ଚଳିତ ବର୍ଷରୁ ଅଧିକ ପୁରୁଣା ୮୭୬୯ଟି ମାମଲା ଫଇସଲା କରାଯାଇଛି ବୋଲି ଓଡିଶା ଉଚ୍ଚନ୍ୟାୟାଳୟ ସୂତ୍ରରୁ ପ୍ରକାଶ ।

୨୦୨୨ ମସିହାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୨୦୨୧ ମସିହା ତୁଳନାରେ ଅଧିକ ବୋଲି ଓଡିଶା ଜିଲ୍ଲା ନ୍ୟାୟପାଳିକା ପରିସଂଖ୍ୟାନରୁ ଜଣାପଡିଛି । ୨୦୨୧ ମସିହା ତୁଳନାରେ ୨୦୨୨ ମସିହାରେ ୫୩.୨୮ ପ୍ରତିଶତ ଅଧିକ ମାମଲା ଫଇସଲା ହୋଇଥିବା ବେଳେ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲାରେ ନ୍ୟାୟପାଳିକାର ଫଇସଲା ପୂର୍ବ ବର୍ଷ ତୁଳନାରେ ଶତକଡା ୫୧ ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଅଧିକ ସଂଖ୍ୟକ ବିଚାବିଭାଗୀୟ ଅଧିକାରୀ ରହିଲେ ମାମଲା ଫଇସଲା ପରିମାଣ ଅଧିକ ହୋଇପାରନ୍ତା । ୨୦୨୧ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୬୨ ଥିବା ବେଳେ ୭୬୭ ଜଣ କାର୍ଯ୍ୟ କରୁଥିଲେ । ସେହିପରି ୨୦୨୨ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ମୁଣ୍ଡପିଛା ୩୧୧ ଥିଲାବେଳେ ୨୦୨୨ରେ ତାହା ୫୭୭ରେ ପହଞ୍ଚିଛି ।

ବଳାତ୍କାର ଓ ପୋକ୍ସେ ମାମଲାଗୁଡିକର ଫାଷ୍ଟଟ୍ରାକ୍‌୍‌ ସମାଧାନ କରାଯାଉଛି । ୨୦୨୨ ଜାନୁୟାରୀ ୧ରୁ ୨୬ ଡିସେମ୍ବର ମଧ୍ୟରେ ୧୦୪୨ ବଳାତ୍କାର ମାମଲା ରୁଜୁ କରାଯାଇଥିବା ବେଳେ ୧୨୫ ମାମଲାର ସମାଧାନ କରାଯାଇଛି । ସେହିପରି ସେହି ସମୟ ମଧ୍ୟରେ ୩୩୦୯ଟି ମାମଲା ଜିଲ୍ଲା ଅଦାଲତଗୁଡିକରେ ଫଇସଲା ହୋଇଥିବା ବେଳେ ସେଥିରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୬୬୦ଟି ମାମଲା ଫଇସଲା ହୋଇପାରିଛି । ମୋଟାମୋଟି ଏହି ସମୟ ମଧ୍ୟରେ ପୋକ୍ସୋ ଏବଂ ବଳାତ୍କାର ସମ୍ବନ୍ଧୀୟ ୪୩୫୧ଟି ମାମଲାର ଫଇସଲା ହୋଇଛି, ସେଥିରୁ ୭୮୫ ମାମଲା ରୁଜୁ ହେବାର ବର୍ଷକ ମଧ୍ୟରେ ଫଇସଲା କରାଯାଇଛି ।

ପୋକ୍ସୋ ଆଇନ ଅଧିନରେ ବିଚାର ବ୍ୟବସ୍ଥା ପାଇଁ ୮ଟି ସ୍ୱତନ୍ତ୍ର ଅଦାଲତ ପତିଷ୍ଠା କରାଯାଇଛି । ସେହିପରି ଭୁବଶ୍ୱେରରେ ମଧ୍ୟ ଗୋଟିଏ ପରିବାର ଅଦାଲତ ପତିଷ୍ଠିତ ହୋଇଛି । ବରିଷ୍ଠ ନାଗରିକଙ୍କୁ ନେଇ ୩ଟି ଲିଭ୍‌ ରିଜଭ୍‌ କୋର୍ଟ ଏବଂ ୨ଟି ମହିଳା କୋର୍ଟ ପ୍ରତିଷ୍ଠା କରାଯାଇଛି ।

ସିଭିଲ ଜଜ୍‌ କ୍ୟାଡରରେ ୬ଟି କୋର୍ଟ ପ୍ରତିଷ୍ଠା କରାଯିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ୨୫ଟି ନୂତନ କୋର୍ଟ କାର୍ଯ୍ୟକ୍ଷମ ହୋଇଛି । ଏହା ସମଗ୍ର ରାଜ୍ୟରେ ଅଦାଲତ ସମାନ୍ତରାଳ କେସ୍‌ ବଣ୍ଟନରେ ଏକ ବଡ ପଦକ୍ଷେପ, ଯାହାକି ମାମଲାଗୁଡିକର ୁଚିତ ବଣ୍ଟନରେ ସାହାଯ୍ୟ କରିବ । ୨୦୨୨ କ୍ୟାଲେଣ୍ଡର ବର୍ଷରେ ଆଉଟ୍‌ଲେଇଙ୍ଗ୍‌ ଷ୍ଟେସନଗୁଡିକ ମଧ୍ୟରେ ଭଦ୍ରକ ସିଭିଲ୍‌ ଜଜ୍‌-କମ୍‌-ଜେଏମ୍‌ଏଫ୍‌,(ଚାନ୍ଦବାଲି), ଭଦ୍ରକ ସିଭିଲ୍‌ ଜଜ୍‌-କମ୍‌-ଜେଏମ୍‌ଏଫ୍‌, (ଧାମନଗର), କେଉଁଝର ଗ୍ରାମ ନ୍ୟାୟାଳୟ, (ଘସିପୁରା), ବାଲେଶ୍ୱର ଗ୍ରାମ ନ୍ୟାୟାଳୟ, (ଭୋଗରାଇ), ନୟାଗଡ ସିଭିଲ୍‌ କୋର୍ଟ, (ଭାପୁର)ରେ ୧୦ଟି ନୂଆ ଅଦାଲତ ଗୃହର ଉଦ୍‌ଘାଟନ କରାଯାଇଛି ।

ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କୋର୍ଟ ଓ ତାଲୁକ କୋର୍ଟର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ଜଜ୍‌ମାନେ ଘରୋଇ ସଂସ୍ଥାରୁ ଆଉଟ୍‌ସୋର୍ସିଂ ମାଧ୍ୟମରେ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି । ୨୦୨୨ ମଇ ୧୪ରେ ୧୭ଟ ଜିଲ୍ଲା ଏବଂ ପରେ ୩୦ଟି ଯାକ ଜିଲ୍ଲାର ଇ-ଫାଇଲ ଷ୍ଟେସନ ପ୍ରତିଷ୍ଠା କରାଯାଇଛି । କାଗଜବିହୀନ କୋର୍ଟ ୨୦୨୧ ମସିହାରେ ପ୍ରଧାନ ବିଚାରପତି ଡକ୍ଟର ଏସ୍‌. ମୁରଲିଧରଙ୍କ ବେଞ୍ଚରୁ ଆରମ୍ଭ ହୋଇ କ୍ରମେ ହାଇକୋର୍ଟର ୭ଟି ବେଞ୍ଚ ଏବଂ ପରବର୍ତ୍ତୀ ସମୟରେ ଓଡିଶାର ୩୦ଟି ଜିଲ୍ଲାରେ ୩୪ଟି ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ ହୋଇଥିଲା । ଯାହାକି କେସ୍‌ ଫାଇଲ୍‌ଗୁଡିକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ବ୍ୟୟବହୁଳ ଏବଂ କଷ୍ଟଦାୟକ ପ୍ରକ୍ରିୟା ଥିଲା ତାହାକୁ ଦୂର କରି ନ୍ୟାୟପାଳିକା କାଯ୍ୟକୁ ଆଧୁନିକୀକରଣ କରାଯାଇପାରିଛି । ଏତେ ପରିମାଣରେ ଭିଡବ୍ଲୁଡିସି ସ୍ଥାପନ କରିବାରେ ଓଡିଶା ଦେଶରେ ତୃତୀୟ ରାଜ୍ୟ ବୋଲି ଜଣାପଡିଛି ।

ବିଭିନ୍ନ ଇ-ସେବାରେ ପରିଚିତ ହେବା ପାଇଁ ଜୁଡିସିଆଲ୍‌ ଅଫିସର, ଆଡ୍‌ଭୋକେଟ୍‌ ଏବଂ ତାଙ୍କର କ୍ଲର୍କମାନଙ୍କୁ ବର୍ଷସାରା ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି । ୩୫ଟି ତାଲିମ କାର୍ଯ୍ୟକ୍ରମରେ ଏହି ତାଲିମ ପ୍ରଦାନ କରାଯାଇଛି । ୨ ଅପ୍ରେଲ ୨୦୨୨ରେ ଓଡିଶା ଜୁଡିସିଆଲ୍‌ ୱାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ(ଓଜେଡବ୍ଲୁଏଏସ୍‌) ପ୍ରବର୍ତ୍ତିତ ହୋଇଥିଲା । ଫଳସ୍ୱରୂପ ପ୍ରଶାସନିକ କାର୍ଯ୍ୟରେ ସମୟ ନଷ୍ଟ ହ୍ରାସ ପାଇଛି । ଓଡିଶା ହାଇକୋର୍ଟ ପ୍ରତିଷ୍ଠା (୧୯୪୮) ଦିନରୁ ରେକର୍ଡ ରୁମ୍‌ରେ ଥିବା ପୁରୁଣା ରେକର୍ଡର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ବହୁ ଆହ୍ୱାନର ମୁକାବିଲା କରିବାକୁ ପଡୁଥିଲା । ରେକର୍ଡ ଡିଜିଟାଜଡ୍‌ କରାଯାଇ ସିଭିଲ୍‌ ଏବଂ ଅପରାଧିକ ଏବଂ ବିଚାରାଧୀନ ରେକର୍ଡର ଡିଜିଟାଇଜେସନ୍‌ କରାଯାଇଛି । ଦେଢ ବର୍ଷ ପାଇଁ ଚାରୋଟି ଜିଲ୍ଲାର କୋର୍ଟ ଡିଜିଟାଇଜେସନ୍‌ରୁ ଉତ୍ସାହଜନକ ଫଳାଫଳ ପାଇବା ପରେ ମାନ୍ୟବର ହାଇକୋର୍ଟ ଜଲ୍ଲାକେର୍ଟ ଡିଜିଟାଇଜେସନ୍‌ କେନ୍ଦ୍ରକୁ ଡିଜିଟାଇଜେସନ୍‌ ହବ୍‌ରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସମଗ୍ର ରାଜ୍ୟରେ ଚାଲିଥିବା କାଗଜହୀନ ଅଦାଲତ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ।

୨୬ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୬ ଲକ୍ଷ ୯୭ ହଜାର ୮୩୮ଟି ନ୍ୟାୟିକ ରେକର୍ଡର ଡିଜିଟାଇଜେସନ୍‌ ହୋଇଛି । ୨୩ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୭୪୯୦୪ଟି ପଡିରହିଥିବା ରେକର୍ଡର ଡିଜିଟାଇଜେସନ୍‌ କରାଯାଇଛି । ପ୍ରଶାସନିକ ଫାଇଲଗୁଡିକର ଡିଜିଟାଇଜେସନ୍‌ ଓ ଓଡିଶା ଜୁଡିସିଆଲ ୱାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ (ଓଜେଡବ୍ଲୁଏଏସ୍‌)ର ପରିବର୍ତ୍ତନ ସହିତ ଉଚ୍ଚ ନ୍ୟାୟାଳୟର ୨୦ ହଜାର୧୬୫ ପ୍ରଶାସନିକ ଫାଇଲକୁ ଡିଜିଟାଇଜେସନ୍‌ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନ୍ୟାୟିକ ଅଭିଲେଖାଗାର ପ୍ରତିଷ୍ଠା କରାଯାଇଛି । ନ୍ୟାୟପାଳିକାର ଐତିହ୍ୟ ଏବଂ ଇତିହାସକୁ ସାଂକ୍ଷଣ କରିବା ପାଇଁ ହାଇକୋର୍ଟଙ୍କ ପ୍ରସ୍ତାପ ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପ୍ରତିଷ୍ଠା କରାଯାଇଛି । ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡିକର ଅନୁସନ୍ଧାନ ତଥା ଗବେଷଣାକୁ ସହଜ କରିବା କେନ୍ଦ୍ରର ଉଦ୍ଦେଶ୍ୟ । ବାରବାଟୀ ଦୁର୍ଗ ପରିସରରେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ପୂର୍ବତନ ସରକାରୀ ବାସଭବନରେ ଥିବେ ସଂଗ୍ରହାଳୟର ନବୀକରଣ କରାଯାଇଛି । ଏହାକୁ ଅଧିକ ଶିକ୍ଷଣୀୟ ଏବଂ ନ୍ୟାୟିକ ବ୍ୟବସ୍ଥାର ସଠିକ୍‌ ପ୍ରତିଫଳନ କରିବା ପାଇଁ ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ଭର୍ଚୁଆଲ୍‌ ଭ୍ରମଣ ପାଇଁ ସୁବିଧା ବ୍ୟତୀତ ପ୍ରଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ହାଇକୋର୍ଟ ପରିସରରେ କର୍ମଚାରୀମାନଙ୍କ ନିମନ୍ତେ ସ୍ଥାନାଭାବ ଦୃଷ୍ଟିରୁ କର୍ମଚାରୀମାନଙ୍କୁ ୱାର୍କଷ୍ଟେସନ ଏବଂ ଗୁଣାତ୍ମକ ଆସବାବପତ୍ର ଯୋଗାଇ ଦିଆଯାଇଛି । ଅନୁଶାସନ ଏବଂ ଏକତାର ଭାବନା ଜାଗ୍ରତ କରିବା ପାଇଁ ଗୃପ୍‌-ଏ, ଗୃପ୍‌-ବି ଏବଂ ଗୃପ୍‌-ସି କର୍ମଚାରୀଙ୍କ ପାଇଁ ୟୁନିଫର୍ମ ସହିତ ହାଇକୋର୍ଟ ଲୋଗୋର ବ୍ୟବସ୍ଥା କରାଯାଇଛି । ହାଇକୋର୍ଟର ୭୫ତମ ବର୍ଷ ପାଳନର ଏକ ଅଂଶ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୨୦୨୩ ଜାନୁୟାରୀ ୮ରେ ସମସ୍ତ କ୍ରୀଡା କାର୍ଯ୍ୟକ୍ରମ ଜବାହରଲାଲ୍‌ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ବର୍ଷ ଓଡିଶା ଉଚ୍ଚ ନ୍ୟାୟାଳୟରେ ୨୫ ବର୍ଷ ସେବା ସମାପ୍ତି ପାଇଁ ୧୯୮ ଜଣ କର୍ମଚାରୀଙ୍କୁ ଏବଂ ଅବସର ଗ୍ରହଣ କରିବା ପରେ ୩୦ ଜଣଙ୍କୁ ଓଡିଶା ଜୁଡିସିଆଲ ଏକାଡେମୀଠାରେ ମାନ୍ୟବର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି ।

ଜନସାଧାରଣଙ୍କ ନିକଟରେ ପହଞ୍ଚିବା ନିମନ୍ତେ ହାଇକୋର୍ଟ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପିଲାମାନଙ୍କୁ ହାଇକୋର୍ଟ ବିଷୟରେ ସମ୍ୟକ ଧାରଣା ଦେବା ଉର୍ଦ୍ଦେଶ୍ୟରେ ଛୁଟିଦିନରେ ହାଇକୋର୍ଟ ପରିସର ଖୋଲାଯାଇଥିଲା । ୨୦୨୨ ମସିହାରେ ୧୧ଟି ଅନୁଷ୍ଠାନର ସ୍କୁଲ ଛାତ୍ରଛାତ୍ରୀ ହାଇକୋର୍ଟ ପରିଦର୍ଶନ କରିଥିଲେ । ରାଜ୍ୟ ନ୍ୟାୟପାଳିକାର ନାଗରିକ-କେନ୍ଦ୍ରିକ ସେବା ବିଷୟରେ ସଚେତନତା ନେଇ ବାଲିଯାତ୍ର ଅବସରରେ ଏକ ସ୍ୱତନ୍ତ୍ର ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ଦୀର୍ଘ ୬ ବର୍ଷ ପରେ ୨୦୨୧ ମସିହାରେ ରାଜ୍ୟ ନ୍ୟାୟପାଳିକାର କାର୍ଯ୍ୟଦକ୍ଷତା ଏବଂ ବିଭିନ୍ନ ଆହ୍ୱାନଗୁଡିକ ବିଷୟରେ ବିସ୍ତୃତ ସୂଚନା ସହିତ ବାର୍ଷିକ ରିପୋର୍ଟ ପ୍ରକାଶନ କରାଯାଇଥିଲା । ଏଥିରେ ହାଇକୋର୍ଟର ସଂକ୍ଷିପ୍ତ ଏତିହାସିକ ବିବରଣୀ, ଭିତ୍ତିଭୂମି ବିକାଶ ସମ୍ବନ୍ଧୀୟ ସୂଚନା, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ମାମଲା ପରିସଂଖ୍ୟାନ ଆଦି ବିଷୟରେ ବିଶଦ ବିବରଣୀ ସ୍ଥାନ ପାଇଛି । ହାଇକୋର୍ଟ ୱେବ୍‌ସାଇଟରେ ରାଜ୍ୟ ନ୍ୟାୟପାଳିକାର ବିସ୍ତୃତ କେସ୍‌ ପରିସଂଖ୍ୟାନ ପ୍ରକାଶ ପାଉଛି । ହାଇକୋର୍ଟର ରେକର୍ଡ ରୁମ ଡିଜିଟାଇଜେସନ୍‌ ସେଣ୍ଟର ଓ ଜିଲ୍ଲା କୋର୍ଟ ଡିଜିଟାଇଜେସନ୍‌ ସେଣ୍ଟର ଡିଜିଟାଇଜେସନ୍‌ କାର୍ଯ୍ୟକଳାପ ସମ୍ବନ୍ଧୀୟ ପରିସଂଖ୍ୟାନ ଏହି ୱେସାଇଟ୍‌ରେ ଉପଲବ୍ଧ ହେଉଛି ।

୨୦୨୨ ଆରମ୍ଭରେ ହାଇକୋର୍ଟରେ ୧୮ ଜଣ ବିଚାରପତି ଥିବା ବେଳେ ୨ ଜଣ ବିଚାରପତି ଅବସର ଗ୍ରହଣ କରିଥିଲେ । ଜଣେ ବିଚାରପତି ଓଡିଶାର ହାଇକୋର୍ଟରୁ ଅନ୍ୟ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲେ । ଚଳିତ ବର୍ଷ ୬ ଜଣ ନୂତନ ବିଚାରପତି ଶପଥ ଗ୍ରହଣ କରିଥିଲେ । ବର୍ତ୍ତମାନ ହାଇକୋର୍ଟରେ ୨୨ ଜଣ ବିଚାରପତି ଅଛନ୍ତି । ୨୦୨୨ ଜୁଲାଇ ୨୬ ତାରିଖରେ ହାଇକୋର୍ଟ ପ୍ରତିଷ୍ଠା ଦିବସ ଅବସରରେ ଓଡିଶାର ୨୨ ଜଣ ଯୁବ ଟ୍ରାଏଲ୍‌ କୋର୍ଟ ଓକିଲଙ୍କୁ ‘ଆଇନ୍‌ଜୀବୀ,୨୦୨୧’ ପୁରସ୍କାର ପ୍ରଦାନ କରାଯାଇଥିଲା । ହାଇକୋର୍ଟର ୭୫ତମ ବର୍ଷ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଡାକ ଲଫାପା ଏବଂ ରବ୍ଦ ମୋହର ସହିତ ୬ଟି ଓଡିଶା ହାଇକୋର୍ଟର ଚିତ୍ରଥିବା ପୋଷ୍ଟକାର୍ଡକୁ ଭାରତର ପ୍ରଧାନ ବିଚାରପତିଙ୍କ ଦ୍ୱାରା ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ଉନ୍ମୋଚନ କରାଯାଇଛି ।

jay balangir
Leave A Reply

Your email address will not be published.

7 + eighteen =