om academy

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ସଦର ଥାନା ମାଗୁରବେଡା ଫାଣ୍ଡି ତଥା ଲୋଇସିଂହା ବ୍ଲକ ଅଧୀନ ତଲିଉଡାର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ସମ୍ପୃକ୍ତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତା ମହିଳାଙ୍କ ବାପା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାଯାଇଛି ।

ମୃତା ମହିଳାଙ୍କ ବାପା ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରାମର ବ୍ରଜ ସାହୁଙ୍କ ଅଭିଯୋଗ ମୁତାବକ, ଗତ ୨୦୧୪ ମସିହାରେ ତାଙ୍କ ଝିଅ ରୁକ୍ମଣୀ(୨୫)ଙ୍କ ସହିତ ତଲିଉଡାର ବାସିନ୍ଦା ବଲ୍ଲଭ ପଧାନଙ୍କ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା । ବିବାହ ସମୟରେ ସାଧ୍ୟ ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା । ତେବେ ବିବାହର ୨/୩ ବର୍ଷ ପରେ ରୁକ୍ମଣୀଙ୍କ କୌଣସି ସନ୍ତାନ ସନ୍ତତି ନ ହେବାରୁ ତାଙ୍କ ଉପରେ ଆରମ୍ଭ ହୋଇ ଯାଇଥିଲା ଉଭୟ ଶାରୀରିକ ଓ ମାନସିକ ନିର୍ୟ୍ୟାତନା । ଏ ନେଇ ଜାତି ଭାଇଙ୍କ ଉପସ୍ଥିତିରେ ପୂର୍ବରୁ ଅନେକ ଥର ସମାଧାନ କରାଯାଇଥିଲେ ହେଁ ରୁକ୍ମଣୀଙ୍କ ଉପରେ ନିର୍ୟାତନା କମି ନଥିଲା । ସୋମବାର ସକାଳେ ବ୍ରଜଙ୍କ ପୁଅ ପ୍ରତାପ ନିକଟକୁ ରୁକ୍ମଣୀ ମରିଯାଇଥିବା ନେଇ ଫୋନ ଆସିବା ପରେ ବ୍ରଜ ତାଙ୍କର କିଛି ସମ୍ପର୍କୀୟଙ୍କୁ ନେଇ ଝିଅର ଶାଶୁ ଘର ତଳିଉଡାର ଗ୍ରାମକୁ ଆସିଥିଲେ । ସେ ପହଂଚିବା ପରେ ଝିଅକୁ ମରି ଯାଇଥିବା ଦେଖିବାକୁ ପାଇଥିଲେ । ପାରିପାର୍ଶ୍ବିକ ପରିସ୍ଥିତିରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ବ୍ରଜ ସାହୁ ପୋଲିସ ନିକଟରେ ଅଭିଯୋଗ କରିବା ସହିତ ଏଥିପାଇଁ ମୃତା ମହିଳାଙ୍କ ସ୍ୱାମୀ ବଲ୍ଲଭ ପଧାନଙ୍କୁ ହିଁ ଦାୟୀ କରିଛନ୍ତି । ମାଗୁରବେଡା ଫାଣ୍ଡି ଅଧିକାରୀ ମଳୟ ପଣ୍ଡା ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।

Leave A Reply

Your email address will not be published.