ପଥରରେ ଛେଚି ଯୁବକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ : ପାରିଶ୍ରମିକ ଟଙ୍କା ମାଗିବାରୁ ହତ୍ୟା, ୨ ଅଭିଯୁକ୍ତ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ଗ୍ରାମର ବୁଦ୍ଧଦେବ ନାଗ (୨୯)ଙ୍କୁ ଗତ ୨୧ ତାରିଖ ରାତ୍ରିରେ ପଥରରେ ଛେଚି ହତ୍ୟା କରିଥିବା ଘଟଣାର ପର୍ଦାଫାଶ କରିଛି ପୋଲିସ । ଏଥିରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସଇଁତଲା କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଦେବାଶିଷ ବେଣ୍ଟକାର (୨୫) ଓ ନକୁଳ ନାଗ (୧୮) । ଉଭୟଙ୍କ ଘର ଦେଓଗାଁ ବୋଲି ଜଣାପଡିଛି । ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖ ରବିବାର ରାତିରେ ବୁଦ୍ଧଦେବ ନାଗ, ଦେବାଶିଷ ବେଣ୍ଟକାର ଏବଂ ନକୁଳ ନାଗ ଏକ ବାଇକ ଯୋଗେ ଦେଓଗାଁ ମଦ ଭାଟିକୁ ମଦ ଆଣିବାକୁ ଯାଇଥିଲେ । ଏହାପରେ ଏକ ଖଳାକୁ ଯାଇ ମିଳିମିଶି ମଦ ପିଇଥିଲେ । ବୁଦ୍ଧଦେବ ପୂର୍ବରୁ ଡିଜେ ଗାଡି ଚଳାଉଥିଲେ । ପରେ ଦେବାଶିଷଙ୍କ ପାଖରେ ରହି ମିସ୍ତ୍ରୀ ଭାବେ କାମ କରୁଥିଲେ । ତେବେ ବୁଦ୍ଧଦେବ ଦେବାଶିଷଙ୍କୁ ପାରିଶ୍ରମିକ ଟଙ୍କା ମାଗିବାରୁ ଉଭୟ ୨ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉତ୍ୟକ୍ତ ହୋଇ ଦେବାଶିଷ ଓ ନକୁଳ ପଥରରେ ବୁଦ୍ଧଦେବଙ୍କ ମୁଣ୍ଡରେ ପ୍ରହାର କରିଥିଲେ । ଫଳରେ ବୁଦ୍ଧଦେବ ଅଚେତ ଅବସ୍ଥାରେ ପଡି ଯାଇଥିଲେ । ବୁଦ୍ଧଦେବ ଅଚେତ ହୋଇଯିବାରୁ ଦେବାଶିଷ ଓ ନକୁଳ ସେହି ସ୍ଥାନ ଛାଡି ଫେରାର ହୋଇ ଯାଇଥିଲେ । ତା’ପରଦିନ ଅର୍ଥାତ ୨୨ ତାରିଖ ସକାଳେ ଖଳାଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱାବଧାନରେ ସଇଁତଲା ଏସ୍‌ଆଇ ଶଙ୍କରଲାଲ ମିର୍ଦ୍ଧା, ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର, ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଦଳ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ମୃତ ଯୁବକଙ୍କ ମା’ ମହିମା ନାଗ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ପରେ ସଇଁତଲା ଥାନା କେସ ନଂ ୧୧୩/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ଏବଂ ୨ ଜଣଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ହତ୍ୟା କରିଥିବା ଘଟଣା ସ୍ୱୀକାର କରିଥିଲେ । ଏନେଇ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

1 × 4 =