ସଇଁତଲାରେ ମାଙ୍କଡ଼ ଆକ୍ରମଣରେ ୧୫ ଆହତ ଘଟଣାରେ ବନ୍ୟଜନ୍ତୁ ଉଦ୍ଧାର ଟିମ୍‌ ଓ ବଲାଙ୍ଗିର ଏସିଏଫ୍‌ର ହସ୍ତକ୍ଷେପ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପାଗଳ ମାଙ୍କଡ଼ ଆକ୍ରମଣକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଦେଇଛି । ବୁଲେଟ ଗାଡି ଶବ୍ଦ ଶୁଣି ମାଙ୍କଡ଼ ବାଇକ ଆରୋହୀ ବ୍ୟକ୍ତିମାନଙ୍କୁ ଦୌଡାଉଥିବାରୁ ୧୫ ଜଣରୁ ଅଧିକ ଲୋକ ଆକ୍ରମଣର ଶୀକାର ହୋଇସାରିଲେଣି । ଏହି ହିଂସ୍ର ମାଙ୍କଡ଼ଙ୍କୁ ଧରିବା ପାଇଁ ସଇଁତଲା ଗୋପବନ୍ଧୁପଡାବାସୀ ବନ ବିଭାଗ ରେଞ୍ଜରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ତତ୍ପରତା ପ୍ରକାଶ କରି ଆଜି ବଲାଙ୍ଗିର ଏସିଏଫ୍‌ ଜିତେନ୍ଦ୍ର ସାହୁ, ରେଞ୍ଜର ସଂଘମିତ୍ରା ଭୋଇ, ଫରେଷ୍ଟର ଆଶୁତୋଷ ମହାକୁର, ଧର୍ମେନ୍ଦ୍ର ରାୟ, ଫରେଷ୍ଟ ଗାର୍ଡ ସତ୍ୟନନ୍ଦ ପ୍ରଧାନଙ୍କ ସହ ବନ୍ୟଜନ୍ତୁ ଉଦ୍ଧାରକାରୀ ଟିମ କାହ୍ନା ଶତପଥି, ଚନ୍ଦ୍ରକାନ୍ତ ପଣ୍ଡିତ, ଜିତେନ୍ ସିଂ ଓ ବନ୍ୟଜନ୍ତୁ ସଂଗ୍ରହକ୍ଷକ ବିକି ଜି ନାଗଙ୍କ ସମେତ ବନ ବିଭାଗ କର୍ମଚାରୀ ମଧ୍ୟ ରହି ମାଙ୍କଡ଼ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ପ୍ରକାଶ ଯେ, ସଇଁତଲା ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ଧୀରେ ଧୀରେ ଧ୍ୱଂସ ହେବାରେ ଲାଗିଲାଣି । ଯାହାଫଳରେ ବନ୍ୟଜନ୍ତୁମାନେ ଜଙ୍ଗଲରେ ଖାଦ୍ୟ ଅଭାବରୁ ଗାଁ ମୁହାଁ ହେଉଛନ୍ତି । ଯାହା ଫଳରେ ଗାଁମାନଙ୍କରେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାରି ଭିତରେ ଏକ ମାଙ୍କଡ଼ ପାଗଳ ହୋଇ ଅତ୍ୟନ୍ତ ହିଂସ୍ର ହୋଇପଡିଛି । ଏହି ମାଙ୍କଡ଼ଟି ସହରରେ ବୁଲି ବୁଲି ଲୋକମାନଙ୍କୁ ଆକ୍ରମଣ କରୁଛି । ଫଳରେ ୧୫ରୁ ଅଧିକ ଲୋକଙ୍କୁ ମାଙ୍କଡ଼ଟି କାମୁଡିବା ସହ କ୍ଷତାକ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏପରିକି ବୁଲେଟ ଗାଡି ଶବ୍ଦ ଶୁଣି ଦୌଡାଉଥିବାରୁ ଅନେକ ବାଇକ ଆରୋହୀ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଉକ୍ତ ହିଂସ୍ର ମାଙ୍କଡ଼ଟି ଗୋପବନ୍ଧୁପଡା, ଥାନା ଅଞ୍ଚଳ, ୨୬ ନମ୍ବର ଜାତୀୟ ରାଜପଥ, ନ୍ୟୁ ମାର୍କେଟ ଓ ବଙ୍ଗଳା ଛକ ସହ ବିଭିନ୍ନ ପଡାକୁ ଯାଇ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି ।

Leave A Reply

Your email address will not be published.