jayashree

ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ହରିଶଙ୍କର ଚିଡ଼ିଆଖାନାର ବିତାଡିତ ୮ ଶ୍ରମିକଙ୍କୁ ନେଇ ସ୍ପଷ୍ଟୀକରଣ ଦେଲା ଡିଭିଜନ୍ ଆଡମିନିଷ୍ଟ୍ରେସନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଦାବୀ କରିଥିବା ହରିଶଙ୍କର ଚିଡ଼ିଆଖାନାର ବିତାଡିତ ୮ ଶ୍ରମିକଙ୍କୁ ନେଇ ସ୍ପଷ୍ଟୀକରଣ ଦେଇଛି ବନ ବିଭାଗ ଡିଭିଜନ୍ ଆଡମିନିଷ୍ଟ୍ରେସନ୍ । କୁହାଯାଇଛି ଯେ, ଗତ ଦୁଇରୁ ତିନି ବର୍ଷ ଧରି ପାର୍କର ହରିଣଙ୍କୁ ଖାଇବାକୁ ଦେବା ପାଇଁ ଡାଳ ପତ୍ର ଯୋଗଣ ନିମନ୍ତେ ପ୍ରାୟ ଆଠ ଜଣ ବ୍ୟକ୍ତି ନିୟୋଜିତ ହୋଇଥିଲେ । କିନ୍ତୁ, ପାଣ୍ଠି ଅଭାବ ହେତୁ ସେମାନଙ୍କୁ ମଜୁରୀ ପ୍ରଦାନ ଜୁଲାଇ ମାସରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା । ଦୈନିକ ବେତନ ଭିତ୍ତିରେ ନିୟୋଜିତ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ପାଣ୍ଠି ଆସିବା ପରେ ସେମାନଙ୍କୁ ନିଜ ନିଜ ଆକାଉଣ୍ଟ ମାଧ୍ୟମରେ ଗତ ନଭେମ୍ବର – ୨୦୨୧ ପର୍ଯ୍ୟନ୍ତ ମଜୁରୀ ସହିତ ପ୍ରଦାନ କରାଯାଇଛି । ବିଳମ୍ବରେ ଦେୟ ମିଳିବା ହେତୁ ସମସ୍ତ ଆଠ ଜଣ ବ୍ୟକ୍ତି କାମ ଛାଡ଼ି ଦେଇଥିଲେ ଏବଂ ଡିଭିଜନ୍ ଆଡମିନିଷ୍ଟ୍ରେସନ୍‌କୁ ଦେୟ ନିଶ୍ଚିତତା ମଧ୍ୟ ଜଣାଇ ନଥିଲେ । ହରିଶଙ୍କର ହରିଣ ପାର୍କରେ ଡ଼ାଳପତ୍ର ଯୋଗାଣର ସେବାରେ ପୁଣି ନିୟୋଜିତ ହେବା ପାଇଁ ରେଂଜ ଅଫିସର କହିଥିଲେ ସୁଦ୍ଧା ସେମାନେ କାମରେ ଯୋଗ ଦେଇନଥିଲେ । ଏହାପରେ ଜରୁରୀ ​​କାରଣରୁ ଏକ ବିକଳ୍ପ ବ୍ୟବସ୍ଥା କରାଯାଇ ପାର୍କର ହରିଣମାନଙ୍କ ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ପାଇଁ ପଦକ୍ଷେପ ନିଆଯାଇଥିଲା । କିନ୍ତୁ, ଏବେ ଡିଭିଜନ୍ ଆଡମିନିଷ୍ଟ୍ରେସନ୍‌ ପାଖକୁ ଖବର ଆସିଛି ଯେ, ଡ଼ାଳପତ୍ର ଯୋଗାଣ ପାଇଁ ନିୟୋଜିତ ସେହି ବ୍ୟକ୍ତିମାନେ ବିଭିନ୍ନ ଫୋରମ୍‌ରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ସେମାନଙ୍କୁ ବାରମ୍ବାର ଅନୁରୋଧ କରାଯିବା ସତ୍ୱେ ସେମାନେ ଦୀର୍ଘ ଦିନରୁ କାମରେ ଯୋଗ ଦେଇ ନାହାନ୍ତି । ତଥାପି ଗ୍ରାମାଞ୍ଚଳର ବେକାରୀ ସମସ୍ୟା ଏବଂ ସ୍ଥାନାନ୍ତରଣ ସମସ୍ୟାକୁ ଧ୍ୟାନରେ ରଖି ନିଜ ଅଞ୍ଚଳରେ ବିଭାଗର ଅନ୍ୟାନ୍ୟ ଯୋଜନାରେ ସେମାନଙ୍କର କାର୍ଯ୍ୟର ପରିସର ସୃଷ୍ଟି କରିବା ଏବଂ ସମାନ ଦୈନିକ ବେତନ ଭିତ୍ତିରେ ସେମାନଙ୍କୁ ଚାକିରି ଦେବା ପାଇଁ ପରାମର୍ଶ ଦେଇଛନ୍ତି ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ।

Leave A Reply

Your email address will not be published.