
ଫୁଲବାଣୀ : ଫୁଲବାଣୀ ରୁଜାଙ୍ଗୀ ପେଟ୍ରୋଲ ଟାଙ୍କି ନିକଟରେ ରାତି ଅଧରେ ସଡ଼କ ଦୁର୍ଘଟଣା । ବସ୍ ଚକା ତଳେ ଚାପି ହୋଇ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତ ଦୁଇଜଣ ହେଲେ ପଟାବାଲି ସାହିର ପ୍ରକାଶ କହଁର ଏବଂ ଭୁକ୍ତା କନାଲିର ପରମାନନ୍ଦ କହଁର ।ସୂଚନା ମୁତାବକ, ଅନିଲ ନାମକ ଏକ ଘରୋଇ ବସ୍ ମଧ୍ୟ ରାତ୍ରିରେ ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା । ଏହି ସମୟରେ ରୁଜାଙ୍ଗୀ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇ ଗୋଟିଏ ବାଇକ୍ରେ ତିନିଜଣ ଯୁବକ ଯାଉଥିଲେ । ପେଟ୍ରୋଲ ଟାଙ୍କି ନିକଟରେ ହିଁ ଘଟିଗଲା ଦୁର୍ଘଟଣା । ବସ୍ ଚକା ତଳେ ଆସି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ପୋଲିସ ।