ନିଆରା ପରମ୍ପରାରେ ନୂଆଁଖାଇଲେ ଜଲିଆ ଓ ଡାହିମାଲ ଗ୍ରାମବାସୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଅଞ୍ଚଳରେ ଏକ ନିଆରା ପରମ୍ପରାରେ ନୂଆଁଖାଇ ପାଳନ କରୁଥିବା ଦେଖିବାକୁ ମିଳିଛି । ୨ ଖଣ୍ଡ ଗାଁର ହଜାର ହଜାର ଲୋକ ଏକାଠି ମିଶି ନୂଆଁଖାଇ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ଗାଁ ହେଉଛି ବେଲପଡା ବ୍ଲକର ଜଳିଆ ଓ ଡାହିମାଲ । ଦୁଇ ଖଣ୍ଡ ଗାଁର ୮ ଶହ ପରିବାର ପ୍ରାୟ ୫ ହଜାରରୁ ଅଧିକ ଲୋକ ଏକାଠି ହୋଇ ନୂଆଁଖାଇ ପାଳନ କରିଥାନ୍ତି । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ଥାନରେ ନୂଆଁଖାଇ ସାରିଲା ପରେ ମୁଣ୍ଡିଆ ମରା କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଛୋଟମାନେ ବଡ଼ମନଙ୍କୁ ମୁଣ୍ଡିଆ ମାରି ନୂଆଁଖାଇ ଜୁହାର କରିବା ପରେ ବଡ଼ମାନେ ସାନମାନଙ୍କୁ ଆର୍ଶୀବାଦ କରିଥିଲେ । ଏହି ସାମୁହିକ ନୂଆଁଖାଇ ପାଇଁ ଦୁଇ ଗାଁର ଲୋକ ମାସେରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ କେମିତି ଗୋଟିଏ ସ୍ଥାନରେ ନୂଆଁଖାଇ ପାଳନ କରିବେ ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥାନ୍ତି । ଛୋଟରୁ ବଡ଼ ସମସ୍ତେ ଏକାଠି ହୋଇ ଜାତି ଧର୍ମକୁ ଭୁଲି ନୂଆଁଖାଇ ପାଳନ କରୁଥୁବାରୁ ଲୋକଙ୍କମାନେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଥାଏ । ଗାଁର ଗଉନ୍ତିଆ ଦେବାଦେବୀଙ୍କଠାରେ ନବାନ୍ନ ଲାଗି କଲାପରେ ଗାଁ ମନ୍ଦିର ନିକଟରେ ସମସ୍ତେ ମିଶି ଏକାଠି ହୋଇଥାନ୍ତି । ପରେ ବ୍ରାହ୍ମଣ ବେଦ ଉଚ୍ଚାରଣ ପରେ ହରିବୋଲ ହୁଳହୁଳି ଦେଇ ସମସ୍ତେ ନବାନ୍ନ (ନୂଆଁଚୂରା) ଖାଇଥାନ୍ତି । ଚଳିତ ବର୍ଷ କରୋନା କଟକଣା ନ ଥିବାରୁ ବେଶ ହସ ଖୁସିରେ ଲୋକେମାନେ ନୂଆଁଖାଇ ପାଳନ କରିଛନ୍ତି । ଅନ୍ୟପଟେ କର୍ମମୟ ଜୀବନ ମଧ୍ୟରେ ଘରେ ଘରେ ତିକ୍ତତା ଲାଗି ରହିଥିବା ବେଳେ ଏହି ଦୁଇ ଗାଁର ଲୋକ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଦେଶ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.

thirteen − 6 =

error: Content is protected !!