ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କ୍ୟାବିନେଟ୍‌ରେ ୫-ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ କ୍ୟାବିନେଟ୍‌ର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି । ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ନିଷ୍ପତ୍ତି ଗୁଡିକ ହେଲା –
୧ – ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି । ପୂର୍ବରୁ ଅଣ-କୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଓ ଉଚ୍ଚ-କୁଶଳୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ଯଥାକ୍ରମେ- ୩୫୨ ଟଙ୍କା, ୩୯୨ ଟଙ୍କା, ୪୪୨ ଟଙ୍କା ଓ ୫୦୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଯଥାକ୍ରମେ- ୪୫୦ ଟଙ୍କା, ୫୦୦ ଟଙ୍କା, ୫୫୦ ଟଙ୍କା ଓ ୬୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
୨ – ରାଜ୍ୟ ସରକାର ଓଡିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍‌ ୨୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛ । ଏହି ପାଣ୍ଠିରେ ଓଡିଆ ଅସ୍ମିତା ଭବନ ଗଠନ, ଓଡିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ବିଶ୍ୱସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା, ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତିକରଣ, ବାଲିଯାତ୍ରାକୁ ଆନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ, କଳାକାରମାନଙ୍କୁ ପ୍ରୋତ୍ସାହନ, ଓଡିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ, ଜାତୀୟ ବିଶ୍ୱବିଦ୍ୟାଳୟ ଓ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା, ଜିଲ୍ଲାସ୍ତରରେ ଇ-ଗ୍ରନ୍ଥାଳୟ ସ୍ଥାପନ ଏବଂ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିପାଇଁ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ଏହି ପାଣ୍ଠିର ପରିମାଣ ଆହୁରି ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ଓଡିଆ ଅସ୍ମିତା ଉଜ୍ଜୀବିତ ହେବା ସହିତ ଓଡିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରିବ ।
୩ – ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ୧୮, ୭୮୮ ପ୍ରାର୍ଥୀଙ୍କ ଚୟନ ତାଲିକା ପ୍ରକାଶ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଆଧାରରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ୨୦,୦୦୦ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ନିଯୁକ୍ତି ନିମନ୍ତେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ଏହି ମାମଲାର ବିଚାର କରି ଉଚ୍ଚ ନ୍ୟାୟଳୟ କୋମ୍ପୁଟର ବସେଡ ଟେଷ୍ଟ ଆଧାରରେ ଆବେଦନକାରୀଙ୍କ ଯୋଗ୍ୟତା ଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
୪ – ରାଜ୍ୟର ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ ସଚଳ କରିବା ଏବଂ ପୁରୁଣା ସଚଳ ପ୍ରକଳ୍ପକୁ ସୁଦୃଢୀକରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ୨୦୬୫ଟି ଅଚଳ ପ୍ରକଳ୍ପକୁ ସଚଳ କରାଯାଇ ୫୯,୨୯୨ ହେକ୍ଟର ଚାଷ ଜମିକୁ ପୁନଃ ଜଳସେଚିତ କରାଯିବ । ଏହା ସହିତ ୧୦,୧୫୨ଟି ପୁରୁଣା ସଚଳ ପ୍ରକଳ୍ପର ଦୃଢୀକରଣ କରାଯାଇ ୨,୨୬,୮୮୬ ହେକ୍ଟର ପରିମିତ ସେଚାଞ୍ଚଳ ଚାଷ ଜମିରେ ଜଳସେଚନର କ୍ଷମତା ବୃଦ୍ଧି କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଆସନ୍ତା ୫ ବର୍ଷରେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ୧୦୮୪.୩୮ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ କ୍ୟାବିନେଟ୍‌ରେ ଅନୁମୋଦିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
୫ – ସେହିପରି ରାଜ୍ୟର ସମସ୍ତ ଯୋଗ୍ୟ କୃଷକ ପରିବାରକୁ ପି.ଏମ୍. କିଷାନ ଯୋଜନାରେ ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ଅବଲମ୍ବନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ଦ୍ୱାରା ମଧ୍ୟମ, ବୃହତ, ସହରାଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରାଯାଇ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରାଯିବ। ଏଥିରେ ରାଜ୍ୟର ଶ୍ରମିକ, କୃଷି ଓ କୃଷକର ଉନ୍ନତି,

Leave A Reply

Your email address will not be published.