jayashree

କୁଚେଇତା ଗୋ ଶାଳାରେ ଗୋପାଷ୍ଟମୀ ଉତ୍ସବ

  • “ଗୋ-ମାତାର ସେବା ହିଁ ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବ”

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗାଈ ଚରାଇବା ସହିତ ଗୋ-ମାତାର ସେବା କରିବାକୁ ନିଜର ସୌଭାଗ୍ୟ ମଣିଥିଲେ । କାରଣ ଗାଈ ଦେହରେ ସମସ୍ତ ଦେବାଦେବୀ ବସବାସ କରୁଥିବା ବେଳେ ଗାଈର ଦେହରୁ ନିର୍ଗତ ହେଉଥିବା ପ୍ରତ୍ୟେକ ଟି ଜିନିଷ ପବିତ୍ର ଓ ବହୁ ଉପାଦେୟ ଅଟେ । ତାଛଡା ସମର୍ପିତ ମନରେ ଯଦି ଗାଈର ସେବା ଓ ପୂଜା କରାଯାଏ, ତା’ହେଲେ ଗୃହରେ ଶାନ୍ତି, ବୈଭବ ଲକ୍ଷ୍ମୀଙ୍କ ଆଗମନ ହେବା ସହିତ ସମସ୍ତ ତୀର୍ଥର ପୁଣ୍ୟପ୍ରାପ୍ତି ଲାଘବ ହୋଇଥାଏ । ତେବେ ସାମ୍ପ୍ରତିକ ପରିସ୍ଥିତିରେ ଗୋ ପାଳନ, ଗୋସେବା ପ୍ରତି ସମାଜରେ ଯେଭଳି ଅନାଗ୍ରହ ଦେଖାଯାଉଛି ତଥା ଯେଭଳି ପରିମାଣରେ ଗୋ-ହତ୍ୟା ବୃଦ୍ଧିପାଉଛି, ତାହା ସନାତନ ହିନ୍ଦୁ ସଂସ୍କୃତି ପାଇଁ ଆଦୌ ଶୁଭଙ୍କର ନୁହେଁ । ତେଣୁ ଗୋ-ମାତାର ସୁରକ୍ଷା ପାଇଁ ତନ, ମନ ଧନ ଅର୍ପଣ ପୂର୍ବକ ସମସ୍ତଙ୍କୁ ଆଗେଇ ଆସିବାକୁ ହେବ । କାରଣ ତାହା ହିଁ ଆମ ସମସ୍ତଙ୍କୁ ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବାରେ ସହାୟକ ହେବ । ଆଜି ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତାରେ ଅବସ୍ଥିତ କାମଧେନୁ ଗବେଷଣା ପ୍ରତିଷ୍ଠାନ ତଥା ଗୋ-ଶାଳାରେ ଅନୁଷ୍ଠିତ ଗୋପାଷ୍ଟମୀ ଉତ୍ସବରେ ଯୋଗଦେଇ ଏଭଳି ମତ ରଖିଛନ୍ତି ବିଶ୍ୱହିନ୍ଦୁ ପରିଷଦ ପଦାଧିକାରୀ ଶାନ୍ତନୁ କୁସୁମ । ସର୍ବପ୍ରଥମେ ଗାଈ ମାନଙ୍କୁ ଗୋଡ଼କୁ ହଳଦୀ ପାଣିରେ ଧୋଇଲା ପରେ ଧୂପଦୀପ, ପୁଷ୍ପମାଲ୍ୟ, ଚନ୍ଦନ, ସିନ୍ଦୁର ଦେଇ ପୂଜା କରାଯାଇଥିଲା । ତାପରେ ଗୋ-ମାତାର ସେବା ଓ ସୁରକ୍ଷା ପାଇଁ ଆଜୀବନ ବ୍ରତୀ ହେବାକୁ ସାମୁହିକ ଭାବରେ ସଂକଳ୍ପପାଠ କରାଯାଇଥିଲା । ଗୋ-ଶାଳାର ପରିଚାଳକ ସନ୍ଦୀପ ପ୍ରସାଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପାତ୍ର, ନୀଲାବତୀ ପାତ୍ର, ଜିଲାନି ଡାଙ୍ଗ, ବିନଚୋ ମିଞ୍ଜ, ସସ୍ମିତା ବଦରା, ହରେରାମ ଯାଦବ, କୌଶଳ ଯାଦବ, ରଞ୍ଜିତ ପ୍ରଧାନ, ଇନ୍ଦ୍ର ପ୍ରଧାନ, ସୌରଭ ଚୌଧୁରୀ, ଶାନ୍ତି କୁଜୁର, ସାମିଆ ଓରାମ, ଆଗସ୍ତିନା ଓରାମ, ବିରଜମନୀ ବାଗେ, ମହିମା ଡାଙ୍ଗ ପ୍ରମୁଖ ଗୋ-ଶାଳା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.