
ରାଉରକେଲା, (କେପିଏନ୍ଏସ୍) : ବାବା ପୋଷାକ ପିନ୍ଧି ଲୋକଙ୍କ ଠାରୁ ଲୁଟ୍ କରୁଥିଲେ । ଏବେ ଜେଲ୍ ଗଲେ । ମହିଳାଙ୍କୁ ଭୟଭୀତ କରି ତାଙ୍କ ସୁନା ଚୁଡ଼ି ଲୁଟି ଫେରାର୍ ମାରିବା ବେଳେ ୩ ଜଣ ବାବା ବେଶ ଧାରଣ କରିଥିବା ଚୋର୍ଙ୍କୁ କାବୁ କରିି ସ୍ଥାନୀୟ ଲୋକେ ପୋଲିସ ପାଖରେ ଜିମା ଦେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରରେ । ସୂଚନା ଅନୁସାରେ ରାଉରକେଲା ସହରର ଛେଣ୍ଡ ପେଟ୍ରୋଲ ପମ୍ପ ପାଖରେ ଜଣେ ମହିଳାଙ୍କୁ ଅଟକାଇ ୩ ଜଣ ବାବା ବେଶ ଧାରଣ କରିଥିବା ବ୍ୟକ୍ତି ତାଙ୍କଠାରୁ ଟଙ୍କା ମାଗିଥିଲେ । ମହିଳା ଜଣକ ମନା କରିଦେବାରୁ ତାଙ୍କୁ ଏଣୁତେଣୁ କହି ଭୟଭୀତ କରାଇ ତାଙ୍କଠାରୁ ସୁନା ଚୁଡ଼ି ଛଡ଼ାଇ ପଳାଇବାକୁ ଉଦ୍ୟମ କରିଥିଲେ । ସେତିକି ବେଳେ ପୀଡ଼ିତା ମହିଳା ଜଣକ ସାହାଯ୍ୟ ପାଇଁ ଚିକ୍ରାର କରିବାରୁ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଏକାଠି ହୋଇ ସଂପୃକ୍ତ ବାବାରୂପୀ ୩ ଜଣ ଚୋରଙ୍କୁ କାବୁ କରିଥିଲେ ଏବଂ ଥାନାରେ ଜିମା ଦେଇଥିଲେ । ସଂପୃକ୍ତ ଘଟଣାର ପୀଡ଼ିତା ସ୍ନେହଲତା ଜେନାଙ୍କ ଅଭିଯୋଗ ଆଧାରରେ ସେକ୍ଟର-୭ ଥାନାରେ ମାମଲା ରୁଜ୍ଜୁ କରାଯାଇ ଭଣ୍ଡ ବାବାମାନଙ୍କୁ ଗିରଫ୍ କରାଯାଇଛି । ଗିରଫ୍ ଅଭିଯୁକ୍ତମାନେ ହେଲେ କରମବୀର ନାଥ(୩୦), ଗୋରଖ ନାଥ (୪୫) ଓ ରାଜନ ନାଥ (୨୫) । ଗିରଫ୍ ଅଭିଯୁକ୍ତମାନେ ଦିଲ୍ଲୀ ଏବଂ ହରିଆଣାର ବାସିନ୍ଦା ବୋଲି ଜଣାପଡ଼ିଛି । ସେମାନଙ୍କ ଠାରୁ ମହିଳାଙ୍କ ସୁନା ଚୁଡ଼ି ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।