
ବଲାଙ୍ଗିର, (କେପିଏନ୍ଏସ୍) : ଚାରି ଝିଅଙ୍କ ସହ ଘରେ ବିଶ୍ରାମ ନେଇଥିଲେ ବିଧବା ମା’ । ଭୁଷୁଡ଼ି ଗଲା ଝାଟିମାଟିର ଘର । ପୋତି ହେଇଗଲେ ମା’ଝିଅ ପାଂଚ ପ୍ରାଣୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଲରମ୍ଭା ଗ୍ରାମ ପଞ୍ଚାୟତ କୁତୁର୍ଲା ଗାଁରେ ପ୍ରବଳ ବର୍ଷାର ପ୍ରଭାବରେ ଆଜି ଅପରାହ୍ନ ୩ଟା ସମୟରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ସରସ୍ୱତୀ ପର୍ଡିଆଙ୍କ ସ୍ୱାମୀ ସହଦେବ ପର୍ଡିଆଙ୍କ ଦେହାନ୍ତ ପରେ ସରସ୍ୱତୀ ନିଜର ଚାରି ଝିଅଙ୍କ ସହ ବହୁ କଷ୍ଟରେ ଚଳି ଆସୁଥିଲେ । ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତାଙ୍କ ପୁରୁଣା ମାଟି ଘର ଭୁଷୁଡ଼ି ପଡ଼ିଥିବା ବେଳେ ଚାରି ଝିଅ ସହିତ ମା’ଙ୍କ ଉପରେ ମାଡ଼ି ବସିଥିଲା ଘର । ତୁରନ୍ତ ଆଖପାଖ ସାଇପଡ଼ିଶା ଲୋକେ ଆସି ତାଙ୍କୁ ତୁରନ୍ତ ମାଟି ଭିତରୁ ଉଦ୍ଧାର କରିବା ସହ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ମା’ ସରସ୍ୱତୀ ଅଧିକ ଗୁରୁତର ଥିବା ବେଳେ ଦୁଇ ଝିଅ ମଧ୍ୟ ଅଧିକ ଗୁରୁତର ଥିବା କୁହାଯାଇଛି । ତେବେ ତାଙ୍କ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଥିବା ବେଳେ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବୀ କରିଛନ୍ତି ।