
- ହାତୀ ବେରେଜରୁ ୫୫୦ କୁମେକ୍ସ ବନ୍ୟା ଜଳ ପ୍ରବାହିତ
ଜୟପାଟଣା, (ଶେଷଦେବ ବେହେରା) : ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ରାସ୍ତା ଉପରେ ଚାରିଫୁଟ ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ, ଗତ ଦୁଇଦିନ ମଧ୍ୟରେ ଜୟପାଟଣା ଅଞ୍ଚଳରେ ୧୧୪ ମିଲି ମିଟର ବର୍ଷା ସହିତ ହାତୀନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହାତୀନଦୀ, ଚାପୁଲ ନଦୀ, ଭାଲୁଜୋର ନଦୀ, କମଳ ନଦୀ, ଗାଈଧାର ନଦୀ, ପିପଲ୍ ନାଳ, ଆଦି ଅବବାହିକାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଚାପୁଲ୍ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଫଳରେ ଧନସୁଲି ଚାନ୍ଦପୁର ମୁଖ୍ୟରାସ୍ତାରେ ଚାରିଫୁଟ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ଦେଖିବାକୁ ମିଳିଛି । ପୂର୍ବତନ ସରପଂଚ ଲକ୍ଷ୍ମଣ ମାଝୀ ଓ ସମାଜସେବୀ ରଶ୍ମି ରଂଜନ ସାହୁ ଗତ ଚଉଦ ବର୍ଷ ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ପ୍ରଶାସନର ଅନୁପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ପ୍ରକାଶ କରାଇଥିଲେ । ମଙ୍ଗଳପୁର ସ୍ଥିତ ହାତୀ ବେରେଜର ଜରୁରୀ କାଳୀନ ସ୍ଥିତିକୁ ଦେଖି ପାଞ୍ଚଟି ଗେଟ୍ ଖୋଲାଯାଇ ୫୫୦ କ୍ୟୁମେକ୍ସ ବନ୍ୟା ଜଳ ଛଡ଼ା ଯାଇଥିବାରୁ ହାତୀନଦୀର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେବାର ଅଧିକ ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ହାତୀନଦୀର ବନ୍ୟା ନିୟନ୍ତ୍ରଣ ପରିବର୍ତ୍ତେ କେମିତି ଇନ୍ଦ୍ରାବତୀ ରୁ ୬୦୦ମେଗାୱାଟ ବିଦ୍ୟୁତ ଉତ୍ପାଦନ କରି ଅଧିକ ୨୦୦ କୁମେକ୍ସ ଅଧିକ ଜଳ ଛଡ଼ା ଗଲା ବୋଲି ପ୍ରଶ୍ନ ଉଠୁଛି । ବିଦ୍ୟୁତ ଉତ୍ପାଦନକୁ ସାମୟିକ ଭାବରେ ବନ୍ଦ ନ କଲେ ବନ୍ୟା ସ୍ଥିତି ଆହୁରି ଜଟିଳ ହେବ ବୋଲି ଆଲୋଚନା ହେଉଛି ।