ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ଘଟଣାରେ ଡେଲାଙ୍ଗ ଥାନା ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ପିପିଲି କୋର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି । ଗୋଡିପୁଟ ମଟିଆପଡା ପଞ୍ଚାୟତ ବରପଦା ଗ୍ରାମରେ କିଛି ଖଣି ମାଫିଆ ବେଆଇନ ଭାବେ ମାଙ୍କଡ଼ା ପଥର କାଟି ଚୋରାଚାଲଣ କରିଆସୁଥିଲେ । ତହସିଲଦାର ଓ ତାଙ୍କ ସହଯୋଗୀ ଟିମ୍‌ ଲଗାତାର ତିନି ଦିନ ଚଢ଼ାଉ କରି ଜୋରିମନା ଆଦାୟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଖଣିମାଫିଆମାନେ ସେମାନଙ୍କୁ ଆକ୍ରମଣ ସହ ହତ୍ୟା କରିବାର ଧମକ ଦେଇଥିଲେ । ଏନେଇ ତହସିଲଦାର ଶ୍ରୀ ଷଡଙ୍ଗୀ ଡେଲାଙ୍ଗ ଥାନାରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଡେଲାଙ୍ଗ ପୋଲିସ ୨୨୩/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଶେଷରେ ମୁଖ୍ୟ ଅଭିଯୁକ୍ତ ବରପଦା ଗ୍ରାମର ଉପେନ୍ଦ୍ର କୁମାର ଜେନା ଓରଫ ମଣ୍ଟୁକୁ ଭୁବନେଶ୍ଵରରୁ ଗିରଫ କରିବାରେ ଡେଲାଙ୍ଗ ପୋଲିସ ସଫଳ ହୋଇଥିଲା । ଖୁବ ଶୀଘ୍ର ଫେରାର ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 × 5 =