
- ସିନ୍ଧେକେଲା ଦୋକାନ ବଜାର ବନ୍ଦ କଲେ ବ୍ୟବସାୟୀ
- ୧୫ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି, ତେଜୁଛି ଅସନ୍ତୋଷ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ମା’ଙ୍କ ଗହଣା ଚୋରି ହେଲା, ୧୫ ଦିନ ବିତିଗଲା,ସିନ୍ଧେକେଲା ପୁଲିସ ହାତ ଖାଲି । ଏହାକୁ ନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ପ୍ରତିବାଦ କରାଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସିନ୍ଧେକେଲା ଥାନା ଘେରାଓ କରାଯାଇଛି । ଶହ ଶହ ଆଦିବାସୀ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ଡକା ବଜାଇ ରାସ୍ତାକୁ ଓହ୍ଲାଇଲେ । ୧୫ ଦିନ ତଳେ ସିନ୍ଧେକେଲାର ଅଧିଷ୍ଠାତ୍ରୀ ଦେବୀ ମା’ ଦୁଆରସେନୀ ମନ୍ଦିରରୁ ଚୋରି ହୋଇଥିଲା । ଚୋରମାନେ ରାତି ଅଧରେ ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସୁନା-ରୂପା ଗହଣା ଲୁଟି ନେଇଥିଲେ । ଏହି ମନ୍ଦିର କେବଳ ଏକ ମନ୍ଦିର ନୁହେଁ, ସିନ୍ଧେକେଲା ଅଞ୍ଚଳର ଆଦିବାସୀ ସମାଜର ଆସ୍ଥାର କେନ୍ଦ୍ର । ଘଟଣା ପରେ ପୁଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ୧୫ ଦିନ ବିତିଯିବା ପରେ ବି ପୁଲିସ ଚୋରଙ୍କୁ ଧରିପାରିଲା ନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢିଥିଲା । ମଙ୍ଗଳବାର ଏହାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତାତିଲା । ସଂଘର ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ ଓ କଣ୍ଟାବାଞ୍ଜି ଅଞ୍ଚଳର ଆଦିବାସୀ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ମନ୍ଦିର ପରିସରରୁ ଏକ ବିରାଟ ରାଲି ବାହାରିଥିଲା । ଶତାଧିକ ଆଦିବାସୀ ପୁରୁଷ-ମହିଳା ହାତରେ ଟାଙ୍ଗୀ, ତୀର-ଧନୁ ଭଳି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି, ମାଦଳ ଓ ଢାପ ବଜାଇ ସହରର ମୁଖ୍ୟ ରାସ୍ତା ଦେଇ ସିନ୍ଧେକେଲା ଥାନା ଆଡକୁ ଆସିଥିଲେ । ରାଲି ଥାନାରେ ପହଞ୍ଚିବା ପରେ ଥାନା ଘେରାଓ କରାଯାଇଥିଲା ଏବଂ ପୁଲିସ ବିରୋଧରେ ନାରାବାଜି କରାଯାଇଥିଲା । ଅନ୍ୟପକ୍ଷରେ ଏହି ଆନ୍ଦୋଳନକୁ ସମର୍ଥନ କରି ସିନ୍ଧେକେଲା ବ୍ୟବସାୟୀ ସଂଘ ସମେତ ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ । ସିନ୍ଧେକେଲା ଦୋକାନ ବଜାର ବନ୍ଦ ପାଳନ କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଶୀଘ୍ର ଚୋରଙ୍କୁ ଧରିବାକୁ ପ୍ରତିଶୃତି ଦେଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ବହୁ ପୋଲିସ ସାମିଲ ହୋଇଥିଲେ । ଥାନା ସମ୍ମୁଖରେ ଗୋଟିଏ ପ୍ରକାର ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି ।