
- ଟିଟିଲାଗଡ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବଲାଙ୍ଗିର ଏସପି
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଅପରାହ୍ନରେ ଟିଟିଲାଗଡ-କତରକେଲା ରାସ୍ତାର ପୌର ପରିଷଦ ଡମ୍ପିଙ୍ଗ ୟାର୍ଡ ନିକଟରେ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଶମ୍ଭୁ ଅଗ୍ରୱାଲ ନିଜ କ୍ରସରରୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଆହତ ଶମ୍ଭୁ ଅଗ୍ରୱାଲ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ପ୍ରଥମେ ସନ୍ତୋଷ ରଣା ଓ ଶୁଭମ ରଣାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ତଦନ୍ତରେ ହାଟପଦା ଅଞ୍ଚଳର ଆଲୋକ ଦାଶଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇ ଗିରଫ କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜମି କିଣାବିକା ସମ୍ପର୍କିତ ବିବାଦକୁ ନେଇ ୩୦ ହଜାର ଟଙ୍କା ଦାବି କରାଯାଇଥିଲା । ଦାବି ପୂରଣ ନ ହେବାରୁ ଏହି ଆକ୍ରମଣ ଘଟିଥିବା ପୋଲିସ ସନ୍ଦେହ କରୁଛି । ଏହି ମାମଲାରେ ଗିରଫ ତିନି ଅଭିଯୁକ୍ତ ହେଲେ ଘୁଘୁରପଲା ଅଞ୍ଚଳର ସନ୍ତୋଷ ରଣା, ଶୁଭମ ରଣା ଓ ଟିଟିଲାଗଡ ହାଟପଦାର ଆଲୋକ ଦାଶ । ସେମାନଙ୍କୁ ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଟିଟିଲାଗଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସପି ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ ଯେ, ବଲାଙ୍ଗିର ଜିଲ୍ଲାର ବହୁଚର୍ଚ୍ଚିତ ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡ ମାମଲାରେ ସନ୍ତୋଷ ରଣା ଓ ଆଲୋକ ଦାଶ ପୂର୍ବରୁ ଅଭିଯୁକ୍ତ ରହିଥିଲେ ଏବଂ ବେଲରେ ମୁକ୍ତି ପାଇଥିଲେ । ପୁଣିଥରେ ଏକ ଗୁରୁତର ଅପରାଧିକ ଘଟଣାରେ ସେମାନଙ୍କ ନାମ ସାମ୍ନାକୁ ଆସିବା ଟିଟିଲାଗଡ ସହରରେ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି ।