
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଜାତି–ଜନଜାତି ସମ୍ବାଦ ବୈଠକ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଡିଓ ନିତୁଶ୍ରୀ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ମତ ପ୍ରକାଶ କରିଥିଲେ । ବୈଠକରେ ଉପସ୍ଥିତ ଅଧିକାରୀ ଓ ଜନପ୍ରତିନିଧିମାନେ ସରକାରୀ ଯୋଜନାର ସୁଫଳ, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ । ଉପସ୍ଥିତ ଜନସାଧାରଣ ମଧ୍ୟ ନିଜ ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ ଓ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କ ସହଯୋଗରେ ବିକଶିତ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିବା ବେଳେ ଉପସ୍ଥିତ ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ ଏବଂ ସେଗୁଡ଼ିକର ସୁଫଳ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା, ଆଦିବାସୀ ନେତା ସୁରେଶ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆଦିବାସୀ ଗୀତିକାର ଆର୍ତ୍ତତ୍ରାଣ ଭୋଇ, ନାଟ୍ୟକାର ଡିଙ୍ଗର ଭୋଇ, କନ୍ଧାନ କବି ଜଗଦୀଶ ସିଂ ଭୋଇ, ଅଲ ଇଣ୍ଡିଆ ରେଡ଼ିଓ କଳାକାର ରେଣୁରଞ୍ଜନ ବାଗଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୁଶୀଲ କୁମାର ପୋଢ଼ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ଏବିଡିଓ ସୁଶାନ୍ତ ପାଣି, ଜିପିଡିଓ ପୁରୁଷୋତ୍ତମ ମାଝୀ, ଡବ୍ଲୁଇଓ ଭୀମରାଜ ମାଝୀ, ଡିଇଓ ଲାଲଚାନ୍ଦ ସିର୍ଦ୍ଦାର ପ୍ରମୁଖଙ୍କ ସହ ବ୍ଲକ କର୍ମଚାରୀ ଓ ଜନ ପ୍ରତିନିଧିମାନେ ସହଯୋଗ କରିଥିଲେ । ପରେ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଦର୍ଶକମାନେ ଉପଭୋଗ କରିଥିଲେ ।