
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମଣ୍ଡି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଶୀଘ୍ର ମଣ୍ଡିରୁ ଧାନ ଉଠାଣ ଦାବୀ ନେଇ କଲମପୁର ପେକ୍ସ ଅନ୍ତର୍ଗତ ପଣ୍ଡିଗାଁ ମଣ୍ଡିରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ । ମିଳିତ କୃଷକ ମଞ୍ଚ ଆନୁକୂଲ୍ୟରେ ଏହି ଧାରଣା ଆୟୋଜିତ ହୋଇଛି । ଗତ କିଛିଦିନ ପୂର୍ବରୁ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ଚାଷୀ । ସେହି ସମୟରେ ପ୍ରଶାସନିକ ଅଧିକାରୀ ଏବଂ ଶହ ଶହ ଚାଷୀଙ୍କ ଉପସ୍ଥିତିରେ, ଏସିଏସ୍ଓ ରାଜାରାମ ହୋତା ନୂତନ ମିଲ୍କୁ ନିୟୋଜିତ କରିବା, ଚାଷୀ ମାନଙ୍କୁ ବସ୍ତା ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଜିଲ୍ଲା ବାହାରର ନୂତନ ମିଲ୍ ମାନଙ୍କୁ ଅନ୍ୟାନ୍ୟ ମଣ୍ଡିରୁ ଧାନ ଉଠାଇବାପାଇଁ ନିୟୋଜିତ କରାଯାଇଛି । କିନ୍ତୁ କଲମପୁର ପେକ୍ସର କୌଣସି ମଣ୍ଡିରେ ନିୟୋଜିତ କରାଯାଇନଥିବାରୁ ଆଜି ପାଣ୍ଡିଗାଁ ମଣ୍ଡି ସମ୍ମୁଖରେ ଚାଷୀମାନେ ଧାରଣା ଦେଇଛନ୍ତି । ଏହି ଧାରଣାରେ ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ ଏବଂ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧିଙ୍କ ପ୍ରତିନିଧି ସାମିଲ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଧରଣାରତ ଚାଷୀ ମାନଙ୍କୁ ସମର୍ଥନ ଜଣାଇ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ତ୍ରୁଟି ପୂର୍ଣ୍ଣ ଧାନ କ୍ରୟ ନୀତି ଯୋଗୁ ଚାଷୀମାନେ ଠିକ ସମୟରେ ଧାନ ବିକ୍ରି କରିପାରୁନାହାନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ମୁତାବକ ଟାର୍ଗେଟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ପେକ୍ସ ସଭାପତି ଶଙ୍କର୍ଷଣ ବେହେରା ତ୍ରୁଟି ପୂର୍ଣ୍ଣ ଧାନକ୍ରୟ ପ୍ରକ୍ରିୟାକୁ ଦୃଢ଼ ନିନ୍ଦା କରିଥିଲେ । କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ଏସିଏସ୍ଓ ରାଜାରାମ ହୋତା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଡ଼ଙ୍ଗୀ, ବ୍ଲକ ଯୋଗାଣ ଅଧିକାରୀ ଲିସା ସାହୁ ପ୍ରମୁଖ ଧାରଣାରତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଉପସ୍ଥିତ ଚାଷୀମାନେ ଅଧିକାରୀ ମାନଙ୍କୁ ଟାର୍ଗେଟ ଆସିବା ଯାଏ ଆମ ସହିତ ଧାରଣା ସ୍ଥଳରେ ଉପସ୍ଥିତ ରହନ୍ତୁ ବୋଲି ଅଡ଼ି ବସିଥିଲେ । ପରେ ଜିଲ୍ଲା ସ୍ତରରୁ ଟାର୍ଗେଟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଅଧିକାରୀ ମାନଙ୍କୁ ଛାଡିଥିଲେ । ପଣ୍ଡିଗାଁ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କୁଇଣ୍ଟାଲ ଧାନ ପଡିଥିବାବେଳେ କଷ୍ଟ ଉପାର୍ଜିତ ଧାନକୁ ଚାଷୀମାନେ ଖରା ଏବଂ ବର୍ଷାରେ ଧାନକୁ ଜଗିରହିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ ହୋଇଥିଲେ । ପ୍ରଶାସନ ଏବଂ ସରକାର କେବେ ଏବଂ କିଭଳି ଭାବରେ ଚାଷୀଙ୍କ ଧାନ କ୍ରୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।