csstore

ବାରମ୍ବାର ବିଜୁଳି ବିଭ୍ରାଟ ପ୍ରତିବାଦରେ ବିଜେପିର ବାଇକ୍ ରେଲି ଓ ଇଲେକ୍ଟ୍ରି ଅଫିସ ଘେରାଓ

ବରଗଡ, (ନିରୋଜ କୁମାର ପାଣୀ) : ବାରମ୍ବାର ବିଜୁଳି ବିଭ୍ରାଟ ପ୍ରତିବାଦରେ ବିଜେପି ପକ୍ଷରୁ ବାଇକ୍ ରେଲି ଓ ଇଲେକ୍ଟ୍ରି ଅଫିସ ଘେରାଓ କରାଯାଇଛି । ସୂଚନା ଅନୁସାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅତିଷ୍ଠ ହୋଇ ପଡିଥିବା ବେଳେ ବରପାଲି ବ୍ଲକରେ ଟାଟା ପାୱାରର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଲାଣି । ଗ୍ରାମାଞ୍ଚଳର ବିଦ୍ୟୁତ୍ ବ୍ୟବସ୍ଥା ଆହୁରି ଶୋଚନୀୟ । ବହୁ ସମୟ ଧରି ପ୍ରାୟ ସବୁଠି ବିଜୁଳି ମନମୁଖୀ କାଟି ଦିଆଯାଉଛି । ଅନ୍ୟ ପକ୍ଷରେ ଲୋ ଭୋଲ୍ଟେଜ୍ ଯୋଗୁଁ ଉଠା ଜଳସେଚନରେ ଚାଷ କରୁଥିବା ଚାଷ କାମ ମଧ୍ୟ ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି । ଫଳରେ ଏହାର ଜୋରଦାର ବିରୋଧ ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ବୁଧବାର ଭାରତୀୟ ଜନତା ପାର୍ଟି ବରଗଡ ଜିଲ୍ଲା ବରପାଲି ବ୍ଲକ ପକ୍ଷରୁ ଏକ ବାଇକ୍ ରେଲୀ କରାଯାଇ ଏକ ଦାବୀପତ୍ର ସ୍ଥାନୀୟ ଟାଟା ପାୱାରର ଏସ୍‌ଡିଓଙ୍କୁ ପ୍ରଦାନ କରାଯାଇଛି । ଆଜିର ଏହି ରେଲିରେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ଷଡଙ୍ଗୀ, ବରପାଲି ନଗର ମଣ୍ଡଳ ସଭାପତି ପଦ୍ମଲୋଚନ ସାହୁ, ବିଜେପି ବରିଷ୍ଠ ନେତା ସୁରେନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ସାହୁ, ଗୁଣନିଧି ମେହେର, ଦୟାଲୁ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇ ରେଲିରେ ନଗର ପରିକ୍ରମା କରି ଏସ୍‌ଡିଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏହାର ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସ୍ଥାନୀୟ କର୍ମକର୍ତ୍ତାମାନେ ଚରମ ବାଣୀ ଶୁଣାଇ ଥିଲେ ।

jayashree
Leave A Reply

Your email address will not be published.