jayashree

ବିଶିଷ୍ଟ ସାରସ୍ୱତ ସାଧକ କୁବେର ପୁରୋହିତଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିକେଲ ପଞ୍ଚାୟତର ସିଂହନପୁର ଗ୍ରାମର ବିଶିଷ୍ଟ ସାରସ୍ୱତ ସାଧକ ତଥା ଅବସର ପ୍ରାପ୍ତ ଶିକ୍ଷକ କୁବେର ପୁରୋହିତଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସ୍ୱର୍ଗତ ପୁରୋହିତ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତର ଜଣେ ସୁପରିଚିତ ସାରସ୍ୱତ ସାଧକ ଥିଲେ । ଯଦିଓ ସେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ, ତଥାପି ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଥିଲା । ସେ ‘ମାତୃଶକ୍ତି’ ଓ ‘ମଣିଷ’ ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ଭାବେ ସାହିତ୍ୟ ଓ ସାମାଜିକ ଚେତନାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା । ଜଣେ ଉଚ୍ଚକୋଟୀର ବାଗ୍ମୀ ଭାବେ ମଧ୍ୟ ସେ ସୁପରିଚିତ ଥିଲେ । ତାଙ୍କର ବିୟୋଗରେ ସାହିତ୍ୟ ଓ ଶିକ୍ଷା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଥିବା ବେଳେ ବରଗଡ, ପଦ୍ମପୁର, ପାଇକମାଲ, ଝାରବନ୍ଧ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ କୁବେର ପୁରୋହିତଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ୧୮ ତାରିଖ ବୁଧବାର ଦିନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.