pakka

ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ

bbehera

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଶନିବାର ବଣାଇ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବୀରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ୫-ଟି ସଚିବଙ୍କ ସମେତ କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର. ଭିନିଲ କ୍ରିଷ୍ଣା ମଧ୍ୟ ଏହି ଗସ୍ତରେ ଯୋଗ ଦେଇଥିଲେ । ୫-ଟି ଅଧୀନରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ସହିତ ମିଶନ ଶକ୍ତି କାଫେ, ନିର୍ମାଣାଧୀନ ହକି ପ୍ରଶିକ୍ଷଣ କେନ୍ଦ୍ର ଏବଂ ବଣାଇ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ ସହିତ ବୀରମିତ୍ରପୁରର ପ୍ରସ୍ତାବିତ ପ୍ରକଳ୍ପ ଆଦିର କାର୍ଯ୍ୟ ସମୀକ୍ଷା କରିଛନ୍ତି ।

୫-ଟି ସଚିବ ପ୍ରଥମେ ଗୁରୁଣ୍ଡିଆ ବ୍ଲକରେ ରୂପାନ୍ତରିତ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଣାଇର ବଇଦପାଲି ହାଇସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ସେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରି ଏବଂ କମ୍ପ୍ୟୁଟର ଲାବ୍‌ ଆଦି ବୁଲି ଦେଖିଥିଲେ । ସରକାରୀ ହାଇସ୍କୁଲରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ପିଲାମାନଙ୍କ ପାଠପଢ଼ାରେ କିପରି ସହାୟକ ହୋଇପାରୁଛି ସେ ବିଷୟରେ ଛାତ୍ରୀଛାତ୍ର ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ପଚାରି ବୁଝିଥିଲେ । ଏହାପରେ ଲହୁଣିପଡ଼ା ବ୍ଲକର ତୁମକେଲାଠାରେ ନିର୍ମାଣାଧୀନ ବିଜୁସେତୁ କାର୍ଯ୍ୟର ସମୀକ୍ଷା କରିଥିଲେ । ବଣାଇର ଆର୍‌ଡିଡି ହାଇସ୍କୁଲ ପଡ଼ିଆରେ ନିର୍ମାଣାଧୀନ ହକି ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଖେଳାଳିମାନଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରିଥିଲେ । ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟସ୍ଥ ‘ମିଶନ ଶକ୍ତି କାଫେ’ ପରିଦର୍ଶନ କରିଥିଲେ । ଏହି କାଫେ ପରିଚାଳନା ଦାୟିତ୍ୱରେ ରହିଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକା ବିଷୟରେ ପଚାରି ବୁଝିଥିଲେ ଏବଂ ଜଳଖିଆ ଗ୍ରହଣ କରିଥିଲେ । କାଫେର ପରିଚ୍ଛନ୍ନତା ଓ ଖାଦ୍ୟର ମାନ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଆବଶ୍ୟକତା ପଚାରି ବୁଝିଥିଲେ । କୋଇଡ଼ାର ଗୋପବନ୍ଧୁ ହାଇସ୍କୁଲ, ଡିଗ୍ରୀ କଲେଜ ଓ ଆଇଟିଆଇ କଲେଜ, ସୁଦକ୍ଷ କେନ୍ଦ୍ର ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଏବଂ ଆବଶ୍ୟକତା କ’ଣ ବୋଲି ପଚାରି ବୁଝିଥିଲେ । ବୀରମିତ୍ରପୁର ମ୍ୟୁନିସିପାଲିଟି ଅଞ୍ଚଳର ୱାର୍ଡ ନମ୍ବର ୧୩ ସ୍ଥିତ ନିର୍ମାଣାଧୀନ ସ୍ମାର୍ଟ ପାର୍କ, ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡ, ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଆହାର କେନ୍ଦ୍ର, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

four × 3 =