om academy

ଗଞ୍ଜାମ ଜିଲ୍ଲାପାଳଙ୍କ ପୁଣି ସତ୍ତର୍କତା ମୂଳକ ବାର୍ତ୍ତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ କରୋନା ଦାଉରୁ ମୁକ୍ତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ନିବେଦନ କରି ଜଣାଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ କରୋନାର ପ୍ରକୋପରୁ ନିଜକୁ ବଞ୍ଚାଇବାକୁ ହେଲେ ସମସ୍ତେ ଘରେ ରୁହନ୍ତୁ । ନିହାତି ଏବଂ ଅତି ଜରୁରୀ ନହେଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ଯଦି ଅତି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ମାସ୍କ ନିଶ୍ଚିତ ଓ ଠିକ୍ ରୂପେ ପିନ୍ଧନ୍ତୁ । ମାସ୍କ ହିଁ ଆପଣଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରିବା କବଚ । ବ୍ୟବସାୟୀ ମାନଙ୍କୁ ଅନୁରୋଧ ସେମାନେ ଦୋକାନ ଖୋଲିବା ବେଳେ ପଞ୍ଚସୂତ୍ରୀ ନିୟମର କଡା ପାଳନ କରନ୍ତୁ । ପଞ୍ଚସୂତ୍ରୀ ନିୟମ ପାଳନ କରିବା ଦ୍ୱାରା ଆପଣ ସଂକ୍ରମଣକୁ ରୋକିପାରିବେ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଟୀକାଦାନ କାର୍ଯ୍ୟକ୍ରମ ଚାଲିଛି । ଟୀକା ନେବାକୁ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍ କରନ୍ତୁ । ଯେଉଁ ସ୍ଲଟ୍ ଆସୁଛି ସେହିଦିନ ଏବଂ ସେହି ସମୟରେ ଆସି ଟୀକା ନିଅନ୍ତୁ । ଆପଣଙ୍କ ସୁବିଧା ସକାଶେ ମହାନଗର ନିଗମ ଅଞ୍ଚଳରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସେଠାରେ ଅଯଥାରେ ଯାଇ ଗହଳି କରନ୍ତୁ ନାହିଁ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆସନ୍ତା କାଲି ଠାରୁ ମୋବାଇଲ୍ ଭେହିକିଲ୍ ଦ୍ୱାରା ଲୋକଙ୍କ ଚାହିଦା ଅନୁସାରେ ଆପଣଙ୍କ ଅଞ୍ଚଳକୁ ମୋବାଇଲ୍ ଗାଡି ଯାଇ କୋଭିଡ୍ ଟେଷ୍ଟ କରିବ । ତାହାର ସୁଯୋଗ ନେବାପାଇଁ ବ୍ରହ୍ମପୁରବାସୀଙ୍କୁ ଅନୁରୋଧ । ଗ୍ରାମାଞ୍ଚଳର ସମସ୍ତ ପି.ଏଚ୍.ସି. / ସି.ଏଚ୍.ସି. ଏବଂ ଏସ୍. ଡି.ଏଚ୍.ରେ ଆଇସୋଲେସନ୍ ସୁବିଧା ଥାଇ ସମସ୍ତ ବେଡରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି । ଏଣୁ ଗ୍ରାମାଞ୍ଚଳ ଲୋକଙ୍କୁ ଅନୁରୋଧ ସେମାନେ ସିଧା ସଳଖ ବ୍ରହ୍ମପୁର ଏମ୍.କେ.ସି.ଜି.କୁ ଆସନ୍ତୁ ନାହିଁ । ଆପଣଙ୍କ ନିକଟରେ ଥିବା ପି.ଏଚ୍.ସି. / ସି.ଏଚ୍.ସି. ଏବଂ ଏସ୍. ଡି.ଏଚ୍.କୁ ଯାଇ ଚିକିତ୍ସିତ ହୁଅନ୍ତୁ । ସେଠାରେ ଡାକ୍ତର ଗଣ ଆପଣଙ୍କର ଚିକିତ୍ସା କରିବେ । ସେଠାରେ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ଡାକ୍ତର ରେଫର୍ କଲେ ଆପଣଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି.କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବ । ଏଣୁ ଅନୁରୋଧ ପ୍ରଥମେ ଆପଣ ଗାଁ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାର ସୁବିଧା ନିଅନ୍ତୁ ।

Leave A Reply

Your email address will not be published.

ten − 9 =