ପଞ୍ଚଦିବସୀୟ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ ଆବାସିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସ୍ଥାନୀୟ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟରେ ପଞ୍ଚଦିବସୀୟ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ ଆବାସିକ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଛାତ୍ରୀ ପୂଜା ବରିହା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଧୂରିଆପଡା ଅଙ୍କ ଫାଉଣ୍ଡେସନର ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଗଣିତ ପ୍ରଫେସର ଡ଼.ସ୍ୱାଧୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଓ ଅନ୍ତର୍ଜାତୀୟ ଗଣିତ ଅଲମ୍ପିକ ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସହ ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡତିଆ ସଭାପତିତ୍ୱ କରି ଗ୍ରାମାଞ୍ଚଳ ଗଣିତ ଅଲମ୍ପିକରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଧ୍ୟାପକ, ଅଧ୍ୟାପିକାଙ୍କ ଉଦ୍ୟମକୁ ପ୍ରସଂଶା କରିବା ସହ ଗଣିତ କ୍ଷେତ୍ରରେ ପାରଦର୍ଶିତା ପାଇଁ ଛାତ୍ରଛାତ୍ରୀ ପ୍ରୟାସରତ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲି ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ଯୋଗଦେଇ ଗ୍ରାମାଞ୍ଚଳର ଗଣିତ ପ୍ରତିଭାର ବିକାଶ ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପ୍ରେରଣାଦାୟୀ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଡ଼. କେ. ଶ୍ରୀନିବାସ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗଣିତ ଦକ୍ଷତାର ବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଆଲୋଚକ ଭାବେ ଆଇ.ଆଇ.ଟି ଖଡ଼ଗପୁରର ଗଣିତ ପ୍ରଫେସର ଡ଼. ପ୍ରତିମା ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ ମଂଚାସିନ ଥିଲେ । ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଧୀର ଗଡତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରମଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସପ୍ତମ ଓ ଅଷ୍ଟମ ଶ୍ରେଣୀର ୮୧ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେବା ସହ ଗଣିତ କୁଇଜ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା, ଜଗତ ମଲ୍ଲିକ, ବଟକୃଷ୍ଣ ପାଢ଼ୀ, ସାମ୍ବାଦିକ ବିପ୍ର ସାହୁ, ମୁକେଶ ଭୋଇ, ଶିକ୍ଷକ ବିଶ୍ୱାମିତ୍ର ବାରିକ, ମିନକେତନ ମେହେର, ବୀରେନ୍ଦ୍ର ସାହୁ, ପ୍ରେମରାଜ ସେଠି, ତିରୁପତି ମେହେର, ଧର୍ମେନ୍ଦ୍ର ହରିପାଳ, ନିର୍ମଳ ପାତ୍ର, ରବୀନ୍ଦ୍ରନାଥ ଜୁଆଡ଼ି, ସୁଧୀର ଗଡତିଆ, କୋଶଳେଶ୍ୱର ପଧାନ, ହେମସାଗର ଗଡତିଆ, ବାଲକିଶୋର ମେହେର, ଶିକ୍ଷୟିତ୍ରୀ ଲୀଳାବତୀ ମେହେର, ହେମାଙ୍ଗିନୀ ଦାସ, ନିରମା ମଞ୍ଜରୀ ପଣ୍ଡା, ଚନ୍ଦ୍ରକାନ୍ତି ପଧାନ, ତପସ୍ୱିନୀ ଦାସ, ସି.ଆର୍‌.ସି.ସି ସୁରେଶ ପୂଜାରୀ, ରମେଶ ଭୋଇ, ସୁଧାଂଶୁ ସାହୁ, ଥବିର ଦୋରା, ନରେନ୍ଦ୍ର ପୁରୋହିତ, ଚିତ୍ତରଞ୍ଜନ ଠାକୁର, ବିଭୁତି ଗରୁଡ଼, ସବିତା ସେଠି, ହର ଜୁଆଡ଼ି ଓ ଜିଲ୍ଲାର ବିଭିନ୍ନ ବ୍ଲକର ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପଞ୍ଚ ଦିବସୀୟ ଶିବିର ଅବସରରେ ପ୍ରତିଦିନ ସକାଳେ ଯୋଗ ଗୁରୁ ଉମାକାନ୍ତ ସାହୁ ଓ ପ୍ରଫୁଲ୍ଲ ବାରିକ ଯୋଗାସନ ଶିକ୍ଷା ଦେଇଥିଲେ ।

Leave A Reply

Your email address will not be published.

1 + 5 =