ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପୋଲିସ ଷ୍ଟେସନ ସମ୍ମୁଖରେ ଗଣଧାରଣା

ଟିଟିଲାଗଡ (ଗୌରବ ଦରଜୀ) : ଟିଟିଲାଗଡ ପୋଲିସ ଷ୍ଟେସନ ଅଧିନସ୍ଥ ବାଗଡେର ଗାଁର ଜଣେ କନ୍ଧ ବ୍ୟକ୍ତିଙ୍କ ଉପରେ ଗୋଷ୍ଠୀବଦ୍ଧ ଭାବରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ବାଗଡେର ଗ୍ରାମର ସାମିଲ ମାଝି ବୋଲି ଜଣାପଡିଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ ମୃତ ବ୍ୟକ୍ତିଙ୍କ ପୈତୃକ ଜମିରେ କିଛି ଲୋକ ବନ୍ଧ ଖୋଳିବା ପାଇଁ ଜମି ମାଗିଥିଲେ। କିନ୍ତୁ ମୃତ ବ୍ୟକ୍ତି ମନା କରିଦେବାରୁ ୨୮ ଅଗଷ୍ଟ ଦିନ ଆକ୍ରମଣକାରୀମାନେ ଗୋଷ୍ଠୀବଦ୍ଧ ଭାବେ ମିଳିତ ହୋଇ ମର୍ମନ୍ତୁଦ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବ୍ୟକ୍ତି ଜଣକର ମୁଣ୍ଡ ପଛରେ ଆଘାତ ହେବାରୁ ପରିବାର ଲୋକେ ପ୍ରଥମେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟର ଭର୍ତି କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କ ଶରୀର ଅଧିକ ଖରାପ୍ ହେବା ଯୋଗୁଁ ବୁର୍ଲା ଡ଼ାକ୍ତରଖାନାକୁ ସିଟି ସ୍କାନ୍ କରିବା ପାଇଁ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗକାରୀ କହିଛନ୍ତି । କିନ୍ତୁ ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କ କହିବା ଅନୁସାରେ ମୃତ ବ୍ୟକ୍ତିଙ୍କ ଶରୀରର କୌଣସି ବାହ୍ୟ ଆଘାତ ଥିବା ଜଣା ପଡିନାହିଁ ଓ ପ୍ରାଥମିକ ତଦନ୍ତରୁ ଗୋଷ୍ଠୀ ଆକ୍ରମଣ ହୋଇ ନଥିବା କହିଛନ୍ତି । ଏହା ସହ ଶ୍ରୀ ଶତପଥୀ ଘଟଣାର ପରବର୍ତ୍ତୀ ତଦନ୍ତ ଚାଲିଛି ବୋଲି ମତ ପ୍ରକାଶ କରିଛନ୍ତି । ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୃତ ବ୍ୟକ୍ତିଙ୍କ ମୃତ ଦେହକୁ ପୋଲିସ ଷ୍ଟେସନ ସାମ୍ନାରେ ରଖି ଗଣଧାରଣା ଦେବା ସହ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିିପୂରଣ ଦେବା ସଂଗେ ସଂଗେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବୀ କରିଛନ୍ତି । ଏସଡିପିଓ ଶ୍ରୀ ଶତପଥୀ ଓ ଟିଟିଲାଗଡ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ଧାରଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଖବର ଲେଖା ଯିବା ସମୟ ପର୍ୟ୍ୟନ୍ତ କେହି ଉକ୍ତ ସ୍ଥାନରେ ଧାରଣ କୋହଳ କରିନଥିଲେ ।

Leave A Reply

Your email address will not be published.