ସମାଡାଙ୍କି ଜଙ୍ଗଲରେ ଗଳିତ ଶବ ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନସ୍ଥ ଉମା ପଞ୍ଚାୟତ ଅନ୍ତର୍ଗତ ସମାଡାଙ୍କି ଗ୍ରାମର ଫୁଲିଝରନ୍ ଜଳପ୍ରପାତକୁ ଯାଇଥିବା ଜଙ୍ଗଲି ରାସ୍ତା ପାର୍ଶ୍ବରୁ ଏକ ଯୁବକର ଗଳିତ ଶବ ଉଦ୍ଧାର । ଉକ୍ତ ଅଞ୍ଚଳ ବୌଦ୍ଧ-କନ୍ଧମାଳ ଜିଲ୍ଲାର ସୀମାନ୍ତବର୍ତ୍ତୀ ଇଲାକା ଏବଂ ଅଞ୍ଚଳରେ ବିଭିନ୍ନ ସମୟରେ ମାଓ ଗତିବିଧି ମଧ୍ୟ ରହିଛି । ଗତବର୍ଷ ଜୁଲାଇ ୧୦ ତାରିଖ ଦିନ ମାଓବାଦୀ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିୟମ ହୋଇ ୨ଜଣ ଯବାନ ଆହତ ହୋଇଥିଲେ । ଏହାପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଆସୁଛନ୍ତି । ଉକ୍ତ ଜଙ୍ଗଲରେ ଶବ ପଡିଥିବା ଦେଖି ଲୋକେ ଆହୁରୀ ଭୟଭୀତ ହୋଇପଡିଥିଲେ । ନାରାୟଣପ୍ରସାଦ ଅଞ୍ଚଳର କିଛି ଯୁବକ ଫୁଲିଝରନ ଜଳପ୍ରପାତକୁ ପିକ୍‌ନିକ୍‌ ପାଇଁ ବାହାରିଥିଲେ । ଜଙ୍ଗଲ ରାସ୍ତାରେ ଶବ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । କଣ୍ଟାମାଳ ଭାରପ୍ରାପ୍ତ ଥାନା ଅଧିକାରୀ ଡିଏସ୍‌ପି ତପସ୍ବିନୀ କଅଁରଙ୍କ ନେତୃତ୍ତ୍ବରେ ଘଣ୍ଟାପଡା ଫାଣ୍ତି ଅଧିକାରୀ ପ୍ରଶାନ୍ତ ମଲିକ ଏବଂ କଣ୍ଟାମାଳ ଓ ଘଣ୍ଟାପଡା ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତଦନ୍ତ କଲାପରେ ଗଳିତ ଶବଟି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମାର ଫାଣ୍ତି ଅଧିନସ୍ଥ ଖମନଖୋଲ ପଞ୍ଚାୟତ ସୁତାଲଦା ଗ୍ରାମର ସୁଦର୍ଶନ ମଲିକ(୨୭) ବୋଲି ଜଣାପଡିଛି । ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରିବାର ଲୋକଙ୍କ କହିବା ପ୍ରକାରେ ସୁଦର୍ଶନ ନିଶାଶକ୍ତ ଅବସ୍ଥାରେ ଘରୁ ବାହାରି ଥିଲା ଏବଂ ଘରକୁ ଫେରି ନଥିଲା । ଅନ୍ୟଦିନ ମାନଙ୍କରେ ମଧ୍ୟ ପ୍ରାୟତଃ ନିଶା ସେବନ କରି କୁଆଡେ ଗଲେ ଦିନେ ଦୁଇଦିନ ଅନ୍ତରରେ ଘରକୁ ଫେରୁଥିଲା । ତେବେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମନମୁଣ୍ତା ଡାକ୍ତରଖାନା ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ଜାଣିହେବ ବୋଲି କଣ୍ଟାମାଳ ଥିନା ଭାରପ୍ରାପ୍ତ ଅଧିକାରୀ ତପସ୍ବିନୀ କଅଁର କହିଛନ୍ତି ।

Leave A Reply

Your email address will not be published.