ଦେଓଗାଁ ରେଞ୍ଜ ଅଫିସରେ ଗଜସାଥୀଙ୍କ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ବଲାଙ୍ଗିର ଏବଂ ଦେଓଗାଁ ରେଞ୍ଜର ମିଳିତ ଭାବେ ଗଜସାଥୀମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଦେଓଗାଁ ରେଞ୍ଜରେ ଆୟୋଜିତ ହୋଇଯାଇଛି । ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ସଭାପତିତ୍ୱରେ ବଲାଙ୍ଗିର ବନଖଣ୍ଡର ଏ.ସି.ଏଫ୍. ଅଜିତ ବିଶି ମୁଖ୍ୟ ଅତିଥି ଭାବେ ଓ ଦେଓଗାଁ ଫରେଷ୍ଟର ପିଙ୍କୁ ଭୋଇ, ଆଟଗାଁ ଫରେଷ୍ଟର ଜେନା ରାଉତ, କୁଡ଼ାସିଂହା ଫରେଷ୍ଟର ଆଶୋକ ନାଏକ, ଗୁଡ଼ଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଶିବିରରେ ବଲାଙ୍ଗିର ଏବଂ ଦେଓଗାଁ ରେଞ୍ଜର ୧୩ ଖଣ୍ଡ ଗାଁର ୬୫ଜଣ ଗଜସାଥୀ ଯୋଗ ଦେଇଥିଲେ । ହାତୀ ଉପଦ୍ରବ ଅଂଚଳମାନଙ୍କରେ ଯଥା – ପଦ୍ମପୁର, ବୁଦେଲଗୁମା, ବ୍ରହ୍ମଣିପାଲି, ରାଏପାଲି ଏବଂ ଘୁଚିପାଲି ଗ୍ରାମକୁ ଗଜସାଥୀମାନଙ୍କୁ ନେଇ ଏକ ସଚେତନତା ରେଲି ଆୟୋଜନ କରାଯାଇଥିଲା । ପରେ ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ସଭାପତିତ୍ୱରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ହାତୀର ସୁରକ୍ଷା ତଥା ଚାଷୀମାନଙ୍କର ନଷ୍ଟ ହୋଇଥିବା ଚାଷର କ୍ଷତି ପୁରଣ ଠିକ୍‌ ଭାବରେ ପାଇପାରିବେ ସେ ବିଷୟରେ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ ଦେଓଗାଁ ବନରକ୍ଷୀ ବିପିନ ବିହାରି ଭୋଇ, ଆରତି ପଧାନ, ଯୁକ୍ତା ସାହାଣି, ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ । ଉକ୍ତ ସଭାକୁ ନରେନ୍ଦ୍ର ବିଶ୍ୱାଲ ପରିଚାଳନା କରିଥିବା ବେଳେ ରଜନିକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାକୁ ଦେଓଗାଁ ରେଞ୍ଜର ସମସ୍ତ ପାରାଷ୍ଟ୍ରାଫ, ପି.ଏନ.ଜିଓ ଷ୍ଟାଫ ଓ ଏନିମେଟେରମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

seven − seven =